ଦିଗପହଣ୍ଡିରେ ହେବ ସୂର୍ୟ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର

ଦିଗପହଣ୍ଡିରେ ହେବ ସୂର୍ୟ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର : ରବିବାର ଦିଗପହଣ୍ଡିରେ ହେବ ସୂର୍ୟ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର । ଭୁବନେଶ୍ବରରୁ ପାର୍ଥିବ ଶରୀରକୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିଆଯିବ । ପରେ ସେଠାରେ ଅପରାହ୍ନ ୩ଟାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସ୍ବର୍ଗତ ସୂର୍ୟ୍ୟ ପାତ୍ରଙ୍କ ପୁଅ ସୂଚନା ଦେଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନ କରିବା ପରେ ମରଶରୀରକୁ ବିଜେଡି ରାଜ୍ୟ କାର୍ୟ୍ୟାଳୟକୁ ନିଆଯିବ । ସେଠାରେ ଶେଷ ଦର୍ଶନ କରିବେ ଦଳୀୟ ନେତା, ମନ୍ତ୍ରୀ, ବିଧାୟକ ଏବଂ କର୍ମକର୍ତ୍ତା । ସେଠାରୁ ମରଶରୀରକୁ ବିଧାନସଭା ନିଆଯିବ। ବିଧାନସଭାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ମରଶରୀରକୁ ନିଆଯିବ ଦିଗପହଣ୍ଡି ।

ତେବେ ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ୟ୍ୟନାରାୟଣ ପାତ୍ରଙ୍କର ୭୫ ବର୍ଷ ବୟସରେ ଶନିବାର ଦିନ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟା ୭ଟା ୩୧ରେ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ସୂର୍ୟ୍ୟ ନାରାୟଣ ପାତ୍ର। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।