ଚୂଡ଼ାନ୍ତ ରିପୋର୍ଟ ଦେଲେ ସରକାର : ଫନି କ୍ଷତି ୯୩୩୬ କୋଟି
ଚୂଡ଼ାନ୍ତ ରିପୋର୍ଟ ଦେଲେ ସରକାର : ଫନି କ୍ଷତି ୯୩୩୬ କୋଟି
admin
Jun 7, 2019 - 06:53
Updated: Jun 7, 2019 - 06:53
- ୧ କୋଟି ୬୦ ଲକ୍ଷ ପ୍ରଭାବିତ, ୬୪ ଜଣଙ୍କ ମୃତ୍ୟୁ
- ୫ ଲକ୍ଷ ୫୬ ହଜାର ୭୬୧ ଘର ଭାଙ୍ଗିଛି ।
- ସବୁଠାରୁ ବେଶି କ୍ଷତି ହୋଇଛି ଶକ୍ତି ବିଭାଗରେ
- ଏନ୍ଡିଆରଏଫ୍ରୁ ୫୨୨୭ କୋଟି ୬୮ ଲକ୍ଷ ଦାବି
ଭୁବନେଶ୍ୱର : ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ଚୋଟ ଏତେ ଗଭୀର ଥିଲା ଯେ ରାଜ୍ୟର ୧୪ଟି ଜିଲ୍ଲାର ୧ କୋଟି ୬୦ ଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ବିପନ୍ନ କରିଦେଲା ଭଳି ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ୬୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ୧୨ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ହେଁ, କ୍ଷତି ସବୁଦିନ ମନେ ରହିବ ଏହି ବିପର୍ଯ୍ୟୟ ।
ପାଖାପାଖି ମାସେ ପରେ ରାଜ୍ୟ ସରକାର ଫନି କ୍ଷୟକ୍ଷତି ଆକଳନ କରି କେନ୍ଦ୍ର ସରକାରଙ୍କୁ ଯେଉଁ ଚୂଡ଼ାନ୍ତ ରିପୋର୍ଟ ଦେଇଛନ୍ତି ସେଥିରେ ବାତ୍ୟାର ପ୍ରଭାବକୁ ଏଭଳି ଢ଼ଙ୍ଗରେ ଆକଳନ କରାଯାଇଛି । ପ୍ରଭାବିତ ୧୪ଟି ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଙ୍କ ରିପୋର୍ଟର ହିସାବକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଯେଉଁ ହିସାବ ପ୍ରସ୍ତୁତ କରିଛନ୍ତି, ତାହା ସୂଚାଉଛି ଯେ କେବଳ ୬ ହଜାର ୬୪୩ କୋଟି ୬୩ ଲକ୍ଷ ଟଙ୍କା ସରକାର ସମ୍ପତ୍ତିକୁ ବାତ୍ୟା ଛାରଖାର କରିଦେଇଛି । ହେଲେ ପୁରୀ, ରାଜଧାନୀ ଭୁବନେଶ୍ୱର ସମେତ ପ୍ରଭାବିତ ଅଞ୍ଚଳର ଲୋକେ ବ୍ୟକ୍ତିଗତ ଭାବେ ଯେଉଁ କ୍ଷତି ସହିଛନ୍ତି, ତାହାର ମୂଲ୍ୟ ଏହା ଠାରୁ କେଇ ଗୁଣ ଅଧିକ ହୋଇପାରେ ।
ପ୍ରଭାବିତ ଲୋକଙ୍କୁ ଦିଆଯାଇଥିବା ରିଲିଫକୁ ବିଚାରକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ୯ ହଜାର ୩୩୬ କୋଟି ଟଙ୍କାର ଦାବି ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ବିଧିବଦ୍ଧଭାବେ ଏହା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବା ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ରଖିଛନ୍ତି ସେଥିରେ, ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ରିଲିଫ ଓ ପୁନର୍ନିମାଣ ପ୍ରକ୍ରିୟା ଲାଗି ୫ ହଜାର ୨୨୭ କୋଟି ୬୮ ଲକ୍ଷ ଟଙ୍କା ଦେବାକୁ କୁହାଯାଇଛି । ବାତ୍ୟା ମୁକାବିଲା ଲାଗି ଆଜି ସୁଦ୍ଧା ୧୩୫୭ କୋଟି ୧୪ ଲକ୍ଷ ଟଙ୍କା ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ଦେଇଛନ୍ତି ।
ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, ଗତ ୩ ତାରିଖ ବାତ୍ୟା ଫନିରେ ୧୪ ଟି ଜିଲ୍ଲାର ୨୦ ହଜାର ୩୬୭ ଗାଁରେ ସରଜମିନ ଅନୁଧ୍ୟାନ କରାଯାଇଛି । ୫ ଲକ୍ଷ ୫୬ ହଜାର ୭୬୧ ଘର ସମ୍ପୂର୍ଣ୍ଣ ବା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏ ମଧ୍ୟରୁ ୫ ଲକ୍ଷ ଲୋକଙ୍କୁ ନୂଆ ଘର ପ୍ରଦାନ କରାଯିବ । ଏହା ବାଦ ତକ୍ରାଳ ଘର ମରାମତି କରି ରହିବା ଲାଗି ୧୪୮୦ କୋଟି ଟଙ୍କା ପ୍ରଦାନ କରାଯିବ । ନଡ଼ିଆ, ପାନ ଆଦି ନଷ୍ଟ ହୋଇଛି । ଉଦ୍ୟାନ ଚାଷ ଆଦି ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟୟ ହୋଇପଡ଼ିଛି । ଏ କ୍ଷେତ୍ରରେ ସରକାର ୨୯୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ଏ ସମସ୍ତ ଅର୍ଥ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ ।ନିତି ଆୟୋଗର ପୁନର୍ଗଠନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ ପାଳିରେ ନିତି ଆୟୋଗ ଗଠନ ହୋଇଥିଲା । ୬୫ ବର୍ଷର ପୁରୁଣା ପ୍ରତିଷ୍ଠାନ ଯୋଜନା ଆୟୋଗକୁ ଭାଙ୍ଗି ନିତି ଆୟୋଗ ଗଠନ କରାଯାଇଥିଲା । ଏହି ଆୟୋଗ ବିଭିନ୍ନ ପ୍ରସଙ୍ଗ ନେଇ ବିବାଦୀୟ ରହିଥିଲା । ମୋଦି ସରକାର ତାଙ୍କ ଦ୍ୱିତୀୟ ପାଳି ଶାସନ ଆରମ୍ଭ କରିବାର ଅଳ୍ପ କିଛି ଦିନ ପରେ ଏଥିରେ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି । ନିତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟାଙ୍କ ଇସ୍ତଫା ପରେ ରାଜୀବ କୁମାରଙ୍କୁ ଏହାର ଦାୟିତ୍ୱ ଦିଆଯାଇଥିଲା । ଆଜିର ପୁନର୍ଗଠନରେ ପ୍ରଧାନମନ୍ତ୍ରୀ ରାଜୀବଙ୍କ ଉପରେ ଭରସା ବଜାୟ ରଖି ତାଙ୍କୁ ପୁନର୍ବାର ଉପାଧ୍ୟକ୍ଷ ପଦ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆୟୋଗର ଅଧ୍ୟକ୍ଷ ରହିଛନ୍ତି । ଭିକେ ସାରସ୍ୱତ, ପ୍ରଫେସର ରମେଶ ଚାନ୍ଦ ଓ ଡକ୍ଟର ଭିକେ ପଲ୍ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ କାମ କରିବେ । ଆୟୋଗର ପଦାଧିକାରୀ ଭାବେ ପ୍ରତିରକ୍ଷା ମନ୍ତ୍ରୀ, ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥୱର ଚନ୍ଦ ଗେହଲଟ୍, ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦରଜିତ ସିଂହ କାମ କରିବେ । ଏତଦ୍ବ୍ୟତୀତ ମିଳିଥିବା ସୂଚନା ଅନୁଯାୟୀ, ମୋଦୀ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ନିତି ଆୟୋଗ ପରିଚାଳନା ପରିଷଦର ପ୍ରଥମ ବୈଠକ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ । ଏହି ବୈଠକରେ ପରିଷଦର ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।