ଦୁଃଖଶୁଣିଲେ ମୁଖ୍ୟମନ୍ତ୍ରୀ : ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା

ଦୁଃଖଶୁଣିଲେ ମୁଖ୍ୟମନ୍ତ୍ରୀ : ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା

ଭୁବନେଶ୍ୱର: ହୀରାକୁଦ ନଦୀ ବନ୍ଧ ପାଇଁ ହୋଇଥିଲେ ବିସ୍ଥାପିତ । ଜମି ଅଧିକାର ପାଇଁ ପ୍ରାୟ ୬୭ ବର୍ଷ ହେବ ଚଳାଇଥିଲେ ସଂଘର୍ଷ । ଝାରସୁଗୁଡ଼ା ଜିଲ୍ଲାର ଏହି ବିସ୍ଥାପିତଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ସମାଧାନ ହୋଇଛି ଦୀର୍ଘ ୭ ଦଶନ୍ଧିର ସମସ୍ୟା । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡ଼ା ତହସିଲର ଗୋଟିଏ ଗାଁ ସମେତ ମୋଟ ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ମୋଟ ୧୭୪୯ଟି ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ମିଳିବ ଅଧିକାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଐତିହାସିକ ନିଷ୍ପତ୍ତି ।   

କେବଳ ଏଇ ଗୋଟିଏ ସମସ୍ୟା ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ଗଡ଼ି ଆସୁଥିବା ଜମିଜମା ସମସ୍ୟାର ନୀତିଗତ ସ୍ଥାୟୀ ସମାଧାନ ହେବ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବଳରେ ତ୍ୱରିତ ପ୍ରକ୍ରିୟାରେ ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କୁ ଦିଆଯିବ ଜମି ପଟ୍ଟା । ୫-ଟି ସଚିବ ଭି.କେ.ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କଠାରୁ ପାଇଥିଲେ । ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କର ଦୀର୍ଘ ବର୍ଷର ସମସ୍ୟା ସମେତ ବିଭିନ୍ନ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା ଭଳି ଅନେକ ସମସ୍ୟା ସଂପର୍କରେ ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ କରି ଐତିହାସିକ ନିଷ୍ପତ୍ତି ନିଆଯାଇଛି ।