କାଳବୈଶାଖୀ ଆଶଙ୍କା, ୟେଲୋ ଆଲର୍ଟ ଜାରି

କାଳବୈଶାଖୀ ଆଶଙ୍କା, ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ଆଜି ଠାରୁ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅଧିକାଂଶ ସ୍ଥାନରେ ଉପରଓଳି କାଳବୈଶାଖୀ ଆଶଙ୍କା ରହୁଥିବାରୁ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ତାତି କମିଲେ ମଧ୍ୟ ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଏମିତି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ମଧ୍ୟ ୨-୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସ୍ଥିତି ଜାରି ରହିବାର ଆଶଙ୍କା ଥିବାରୁ ପରବର୍ତ୍ତୀ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ବଙ୍ଗୋପସାଗରରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ଏହା ଦ୍ୱାରା କିଛି ସ୍ଥାନରେ ପାଗ ମେଘୁଆ ରହିବା କାରଣରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। କିନ୍ତୁ ଏହି ବାୟୁ ପ୍ରବାହ ଦ୍ୱାରା ରାଜ୍ୟରେ ଆର୍ଦ୍ରତା ପରିମାଣ ଅଧିକ ରହୁଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ସହାୟକ ହେଉଛି।