ଟ୍ରେନ୍‌ରେ ଚାଲାଣ ବେଳେ ୨୫ ଗୋଧି ଉଦ୍ଧାର

ଟ୍ରେନ୍‌ରେ ଚାଲାଣ ବେଳେ ୨୫ ଗୋଧି ଉଦ୍ଧାର

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଟ୍ରେନ୍‌ରେ ଚାଲାଣ ହେଉଥିବା ବେଳେ ୨୫ଟି ଗୋଧି ଉଦ୍ଧାର ହୋଇଛନ୍ତି। ଏହାସହ ଗୋଟିଏ କଇଁଛ ଓ ୨ଟି ଡାହୁକ ପକ୍ଷୀକୁ ବି ରେଳ ସୁରକ୍ଷା ବଳ (ଆରପିଏଫ୍‌) ଉଦ୍ଧାର କରିଛି। ବେଆଇନ ବନ୍ୟପ୍ରାଣୀ ଚାଲାଣରେ ସଂପୃକ୍ତ ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା ନୟାଗ୍ରାମ ଥାନା ଅଞ୍ଚଳର ସଞ୍ଜୟ ନାୟକ (୨୫)କୁ ଧରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତ ଜଣେ ପେସାଦାର ଶିକାରୀ ହୋଇଥିବା ବେଳେ ତା’ ପାଖରୁ ୩୦ଟି ଫାଶ ଓ ଦୁଇଟି ବାଟୁଳି ଜବତ କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ରୂପ୍‌ସା ରେଳ ଷ୍ଟେସନ୍‌ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଚାନ୍ଦିପୁର ରେଞ୍ଜ ଅଧିକାରୀ ଗଣେଶ ଲେଙ୍କାଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ। ଏ ସଂକ୍ରାନ୍ତରେ ବନ ବିଭାଗ କେସ୍‌ ନମ୍ବର ୩୩ ସିଏଚ୍‌/୨୦୨୩-୨୪ରେ ଏକ ମାମଲା ରୁଜୁ ହୋଇଛି। ଉଦ୍ଧାର କରାଯାଇଥିବା ଗୋଧି, କଇଁଛ ଓ ଡାହୁକ ପକ୍ଷୀକୁ କୁଲଡିହା ଅଭୟାରଣ୍ୟରେ ଛଡ଼ାଯିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି।