ସବୁ କଥାରେ ହୀନ ରାଜନୀତି ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ: ବିଜେଡି

ସବୁ କଥାରେ ହୀନ ରାଜନୀତି ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ: ବିଜେଡି

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ବିଜେପି ନେତାଙ୍କ ବୟାନବାଜି ଉପରେ ବର୍ଷିଲା ବିଜେଡି। ମାମଲାରେ ସମୃକ୍ତ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି ଆରମ୍ଭ କରିଦେଇଥିବା ବିଜେଡି ଅଭିଯୋଗ କରିଛି। ନିକଟରେ ଓଡ଼ିଶା ପୋଲିସ ଏକ ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟର ପର୍ଦ୍ଦାଫାସ୍ କରିବାରେ ସମର୍ଥ ହୋଇଛି । ପୁଲିସ ହାତରେ ଧରା ପଡ଼ିଥିବା ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଅଧୀନରେ କାର୍ୟ୍ୟରତ ଜଣେ କର୍ମଚାରୀ ।

ଏହି ରାକେଟ୍ କେବଳ ଓଡ଼ିଶା ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ସେଣ୍ଟ୍ରାଲ ଷ୍ଟାଫ୍ ସିଲେକସନ୍ କମିଶନର ପ୍ରଶ୍ନପତ୍ର ଲିକ୍ ମାମଲାରେ ମଧ୍ୟ ସଂପୃକ୍ତ ଅଛି। ଏହାଛଡ଼ା ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍‌ରେ ବି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଖୁବଶୀଘ୍ର ତଦନ୍ତରୁ ସବୁ କଥା ସ୍ପଷ୍ଟ ହେବ। ହେଲେ ତଦନ୍ତ ଶେଷ ହେବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏତେ ବିଚଳିତ ଓ ଅଧୈର୍ୟ୍ୟ କାହିଁକି ହୋଇ ପଡ଼ୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ।

ପ୍ରଶ୍ନପତ୍ର ଲିକ୍ ମାମଲାରେ ଗତ ୧୦ ଦିନ ମଧ୍ୟରେ ମାଷ୍ଟରମାଇଣ୍ଡ ସମେତ ୧୭ ଜଣଙ୍କୁ ଗରିଫ କରି ସାରିଲାଣି ଓଡ଼ିଶା ପୋଲିସ। ଆମେ ଭାବିଥିଲୁ, ଓଡ଼ିଶା ପୋଲିସର ଏଭଳି ଏକ ବଡ଼ ସଫଳତାକୁ ନେଇ ବିଜେପି ଅନ୍ତତଃ ରାଜନୀତି କରିବ ନାହିଁ। ମାତ୍ର ସବୁ କଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ। ଏପରି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାରୁ ବିଜେପି ନେତାମାନେ ବିରତ ରୁହନ୍ତୁ । ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର।