ସାପ ଧରା ପାଇଁ ଆସିଲା ଗାଇଡ୍ଲାଇନ
ଭୁବନେଶ୍ୱର: ସାପ ଧରିବା ଓ ଛାଡ଼ିବା ସହ ସାପଧରାଳିଙ୍କ ପାଇଁ ବିସ୍ତୃତ ଗାଇଡଲାଇନ ଜାରି କରିଛି ଜଙ୍ଗଲ ଓ ପରିବେଶ ବିଭାଗ । ରାଜ୍ୟର ସବୁ ସାପଧରାଳି ସରକାରଙ୍କ ପାଖରେ ପଞ୍ଜୀକରଣ କରିବାକୁ ବାଧ୍ୟ ବୋଲି କୁହାଯାଇଛି । ଏଥିସହ ସାପଧରାଳିଙ୍କ ପାଇଁ ସରକାର ବୀମା କରିବେ। ସାପଧରାଳିଙ୍କ ସୁରକ୍ଷା ପାଇଁ ଓସ୍ଡମା ପାଣ୍ଠିରୁ ସୁରକ୍ଷା ଟୁଲ୍ ବି ମିଳିବ । ତେବେ କେହି ସାପର କ୍ଷତି ପହଞ୍ଚାଇଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଗାଇଡଲାଇନ୍ ଅନୁସାରେ, କେବଳ ଜଙ୍ଗଲ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସାପଧରାଳି ହିଁ ଜନବସତି ଅଞ୍ଚଳରୁ ସାପକୁ ଧରି ଜଙ୍ଗଲରେ ଛାଡ଼ିପାରିବେ। ଅନ୍ୟମାନେ ଧରିଲେ ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨ ଅନୁସାରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ । କୌଣସି ଜନବସତି ଅଞ୍ଚଳ, ଘର ଭିତର ଓ ସାପ ଯୋଗୁ ଜୀବନ ବିପଦରେ ପଡ଼ିବାର ସମ୍ଭାବନା ଥିବା କ୍ଷେତ୍ରରେ ହିଁ ସାପକୁ ଉଦ୍ଧାର ବା ଧରିହେବ । ଜନବସତିକୁ ଛାଡ଼ି ଅନ୍ୟ ସ୍ଥାନରେ ଥିବା କୌଣସି ବିଷଧର ବା ବିଷହୀନ ସାପକୁ ଧରାଯିବନାହିଁ ।
ପଞ୍ଜିକୃତ ସାପଧରାଳିଙ୍କୁ ହିଁ ସାପ ଧରିବା ପାଇଁ ଅନୁମତି ମିଳିବ । ଏଥିପାଇଁ ବିଭାଗ କୌଣସି ପାରିଶ୍ରମିକ ଦେବନି । ସେମାନେ ସ୍ୱେଚ୍ଛାକୃତ ଭାବେ ଏହି କାମ କରିବେ । ତେବେ ସାପଧରାଳି ସାପ ଧରୁଥିବା ସମୟରେ କେହି ବାଧା ସୃଷ୍ଟି କଲେ ଦଣ୍ଡିତ ହେବେ ।




admin 