ହାଇସ୍କୁଲ ପିଲା ପଢ଼ିବେ କୋଡିଂ ଓ ଆଇଟି
ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ‘କୌଶଳୀ’ ସ୍କୁଲ କ୍ଲବ୍ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ପ୍ରଦାନ କରାଯିବ । ସେଥିପାଇଁ ବିଜ୍ଞାନ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ବର୍ତ୍ତମାନ ସମୟର ଆହ୍ୱାନ ଅନୁସାରେ ଛାତ୍ରଛାତ୍ରୀଙ୍କର ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାର ଆବଶ୍ୟକତାକୁ ଭିତ୍ତିକରି ଏଭଳି ଏକ ନୂତନ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ କହିଛି ।
ସୂଚନା ଅନୁସାରେ, ପିଲାମାନଙ୍କୁ ପ୍ରଯୁକ୍ତିବିଦ୍ୟା(ଆଇଟି) ଓ କୋଡିଂ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟସ୍ତରରେ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରର ୩ଟି ହାଇସ୍କୁଲରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ବ୍ଲକସ୍ତରରୁ ୮୯ଜଣ ବିଜ୍ଞାନ ଶିକ୍ଷକଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ସାମିଲ କରାଯାଇଛି । ସେମାନଙ୍କୁ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଏହି ପ୍ରଶିକ୍ଷଣ ଦେଉଛନ୍ତି । ପରବର୍ତ୍ତୀ ପର୍ୟ୍ୟାୟରେ ରାଜ୍ୟର ସମସ୍ତ ବିଜ୍ଞାନ ଶିକ୍ଷକମାନଙ୍କୁ ଏହି ମୁଖ୍ୟ ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ଦେବେ ବୋଲି ଜଣାପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ‘ମୋ ସ୍କୁଲ’ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରୁଛି ।