ମୋଦୀ ସରକାର ଜିତିଲେ ବିଶ୍ୱାସ
ନୂଆଦିଲ୍ଲୀ: ମୋଦୀ ସରକାର ଜିତିଲେ ବିଶ୍ୱାସ । ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଯାଇଛି । ଧ୍ୱନିମତରେ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି । ମୋଦୀ ଭାଷଣ ଦେବାବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ । ବିରୋଧୀ ଅଭିଯୋଗ ଆଣିଛନ୍ତି, ପ୍ରାୟ ଦୁଇଘଣ୍ଟାର ଭାଷଣରେ ମୋଦି ମଣିପୁର କଥା କହିନଥିଲେ । ଭାଷଣର ଶେଷ ସମୟରେ ମଣିପୁର କଥା କହିଥିଲେ ।
ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମଣିପୁର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ତେବେ ୧୪୦ ମିନିଟ୍ ଧରି ଦେଇଥିବା ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଅଧିକାଂଶ ସମୟ ବିରୋଧୀଙ୍କୁ ଟାର୍ଗେଟ୍ କରିବାରେ ନିୟୋଜିତ କରିଥିଲେ। ଏବେ ମଣିପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିଲାଗି ପୂର୍ବରୁ ଥିବା କଂଗ୍ରେସ ସରକାରକୁ ଦାୟୀ କରିଥିଲେ। ଅନ୍ୟପକ୍ଷରେ ତାଙ୍କ ସରକାର ଉତ୍ତର ପୂର୍ବାଞ୍ଚଳର ରାଜ୍ୟମାନଙ୍କୁ ମଜଭୁତ କରିବା ଲାଗି ପଦକ୍ଷେପ ନେଇଛି। ହିଂସାପ୍ରବଣ ମଣିପୁର ବାସିନ୍ଦାଙ୍କୁ ଆଶ୍ବସ୍ତ କରି ମୋଦୀ କହିଲେ ଯେ ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ପୁଣିଥରେ ଶାନ୍ତିର ସୂର୍ୟ୍ୟୋଦୟ ହେବ। ମଣିପୁର ପୁଣିଥରେ ବିକାଶ ଦେଖିବ ।
ମଣିପୁର ହିଂସାରେ ସଂପୃକ୍ତ ଲୋକଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦେବାପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି । ମଣିପୁରର ମା’, ଭଉଣୀ ଏବଂ ଝିଅମାନଙ୍କୁ ମୁଁ ଆଶ୍ବସ୍ତ କରୁଛି ଯେ ଦେଶ ଆପଣମାନଙ୍କ ସହ ଅଛି। ଆମେମାନେ ସମସ୍ତେ ମିଶି ଏକାଠି ଏହି ଜଟିଳ ସ୍ଥିତିର ମୁକାବିଲା କରିବା ଏବଂ ଶାନ୍ତି ସୁନିଶ୍ଚିତ କରିବା। ଦୀର୍ଘକାଳୀନ କଂଗ୍ରେସ ଶାସନରେ ଉତ୍ତରପୂର୍ବ ରାଜ୍ୟ ଅନେକ କିଛି ତ୍ୟାଗ କରିଛି। କିନ୍ତୁ କଂଗ୍ରେସଠାରୁ ଏହା କେବେ ବି ନିଜର ପ୍ରାପ୍ୟ ପାଇନାହିଁ । ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ କରାଇଥିଲେ । ଭୋଟ୍ ଗ୍ରହଣ ପୂର୍ବରୁ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିଥିଲେ ଏବଂ ବାଚନିକ ଭୋଟ୍ରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା ।