ନବୀନଙ୍କୁ ପୁଣି ପ୍ରଶଂସା କଲା ମିଳିତ ଜାତିସଂଘ

ନବୀନଙ୍କୁ ପୁଣି ପ୍ରଶଂସା କଲା ମିଳିତ ଜାତିସଂଘ

ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାରକୁ ପୁଣି ପ୍ରଶଂସା କରିଛି ମିଳିତ ଜାତିସଂଘ। ଖାଦ୍ୟ ସୁରକ୍ଷା, ବିପର୍ୟ୍ୟୟ ପରିଚାଳନା, ମିଲେଟ ମିଶନ, ‘୫-ଟି’ ଉପକ୍ରମ ଆଦି ସମଗ୍ର ବିଶ୍ୱ ପାଇଁ ଉଦାହରଣ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମିଳିତ ଜାତିସଂଘର ଆବାସିକ ସଂଯୋଜକ ଶୋମ୍ବି ଶାର୍ପ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୋମ୍ବି ଶାର୍ପ ଓଡ଼ିଶା ସହ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବରେ କାର୍ୟ୍ୟକୁ ଗୌରବମୟ ବୋଲି ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ଶୋମ୍ବି ଶାର୍ପ ରାଜ୍ୟର ବିପର୍ୟ୍ୟୟ ପରିଚାଳନା ନୀତିକୁ ଭୂରିଭୂରି ପ୍ରଶଂସା କରିଛନ୍ତି । ଶ୍ରୀ ଶାର୍ପ କହିଛନ୍ତି ଯେ ଓଡ଼ିଶା ସରକାର ଓ ଜାତିସଂଘର ମିଳିତ ଉଦ୍ୟମ ଅନେକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ରାଜ୍ୟରେ ବିକାଶ କାର୍ୟ୍ୟ ତ୍ୱରାନ୍ୱିତ ହୋଇପାରିଛି। ତେବେ ଓଡ଼ିଶା ସରକାରଙ୍କ ନିଜସ୍ୱ ଉପଲବ୍ଧୀ ଆମ ସମସ୍ତଙ୍କୁ ଚକିତ କରିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ କାର୍ୟ୍ୟକାରୀ କରିବାରେ ଓଡ଼ିଶାର ପରାକାଷ୍ଠା ବିଶ୍ୱବାସୀଙ୍କ ପାଇଁ ଶିକ୍ଷଣୀୟ ହୋଇଛି। ଓଡ଼ିଶା କେବଳ ଏକ ଖାଦ୍ୟ ଅଭାବୀ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ ଭାବେ ଉଭା ହୋଇ ନାହିଁ ବରଂ ଜାତୀୟସ୍ତରରେ ଖାଦ୍ୟ ଶସ୍ୟ ଯୋଗାଣରେ ଶୀର୍ଷ ସ୍ଥାନ ହାସଲ କରିଛି। ମୁଖ୍ୟମନ୍ତ୍ରୀଙ୍କ ଦାରିଦ୍ର୍ୟ କୈନ୍ଦ୍ରୀକ ନୀତି ଯୋଗୁଁ ଓଡ଼ିଶାର ବିସ୍ତୃତ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକ୍ରମେ ସବୁ ଲୋକଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ ସୁନିଶ୍ଚିତ ହୋଇପାରିଛି। ସେହିପରି ‘ଆହାର’ ଯୋଜନାରେ ମାତ୍ର ୫ ଟଙ୍କାରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଆଉ ଏକ ଲୋକାଭିମୁଖୀ ପଦକ୍ଷେପ ବୋଲି ଶ୍ରୀ ଶାର୍ପ କହଛନ୍ତି ।

ପାରମ୍ପରିକ ମିଲେଟ୍‌ ଖାଦ୍ୟକୁ ଲୋକପ୍ରିୟ କରାଇବା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଅନନ୍ୟ ବୋଲି ଉଲ୍ଲେଖ କରି ଶ୍ରୀ ଶାର୍ପ ଏହାର ପ୍ରଶଂସା କରିଛନ୍ତି । ଏହି ପଦକ୍ଷେପ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ପ୍ରଶଂସା ଅର୍ଜନ କରିଛି। ଓଡ଼ିଶାର ମିଲେଟ୍‌ ମିଶନ୍‌ ଏହାର ଅଭିନବ ଏବଂ ଅନ୍ତର୍ଭୁକ୍ତିକରଣ ଆଭିମୁଖ୍ୟ ପାଇଁ ବିଶ୍ୱସ୍ତରରେ ସୁନାମ ଆଣିପାରିଛି। ସେଥିପାଇଁ ଓଡ଼ିଶାର ଖାଦ୍ୟ ସୁରକ୍ଷା ସମ୍ପର୍କରେ ଅଧିକ ସୂଚନା ପ୍ରଦାନ ପାଇଁ ୨୦୨୨ରେ ନବୀନ ପଟ୍ଟନାୟକଙ୍କୁ ବିଶ୍ୱ ଖାଦ୍ୟ କାର୍ୟ୍ୟକ୍ରମ (ଡବ୍ଲୁଏଫ୍‌ପି)ର ମୁଖ୍ୟାଳୟକୁ ନିମନ୍ତ୍ରଣ କରାଯାଇ ଥିଲା ବୋଲି ଶ୍ରୀ ଶାର୍ପ କହିଛନ୍ତି।
ଅନୁରୂପ ଭାବରେ ଶ୍ରୀ ଶାର୍ପ ରାଜ୍ୟରେ ପ୍ରଚଳିତ ‘୫-ଟି’ ଉପକ୍ରମକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ କାର୍ୟ୍ୟକୁ ପ୍ରଶଂସା ନିମନ୍ତେ ଶ୍ରୀ ଶାର୍ପଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି ।