ଆଉ ୪୯ ଜଣ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗ ଏବଂ ଏହି ମାମଲାରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି। ଅନ୍ୟପକ୍ଷରେ ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ନିଲମ୍ବନ କରାଯାଉଛି।
ମଙ୍ଗଳବାର ଦିନ ଲୋକସଭାରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଦଳର ଶକ୍ତି ଆହୁରି ହ୍ରାସ ପାଇଛି। କାରଣ ପୁଣି ୪୯ ସାଂସଦଙ୍କୁ ଅସାମ୍ବିଧାନିକ ଆଚରଣ ଏବଂ ଚେୟାରର ନିର୍ଦ୍ଦେଶକୁ ଅବମାନନା କରିଥିବା କାରଣରୁ ନିଲମ୍ବିତ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ସଂସଦର ଉଭୟ ଗୃହରୁ ୭୮ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଆଜି ପୁଣି ୪୯ ଜଣଙ୍କୁ ନିଲମ୍ବନ କରାଯାଇଛି। ଏବେ ସୁଦ୍ଧା ସଂସଦରୁ ସମୁଦାୟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇ ସାରିଲାଣି।
ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସର ଶଶୀ ଥରୁର, ମନୀଷ ତିୱାରୀ ଏବଂ କେ ଚିଦାମ୍ବରମ୍, ଏନସିପିର ସୁପ୍ରିୟା ସୁଲେ, ଫାରୁକ୍ ଅବଦୁଲ୍ଲା, ସମାଜବାଦି ପାର୍ଟିର ଡିମ୍ପଲ୍ ଯାଦବ, ଡିଏମକେର ଏସ୍ ସେଣ୍ଟିଲ କୁମାର, ଆମ୍ ଆଦମୀ ପାର୍ଟିର ସୁଶୀଲ କୁମାର ରିଙ୍କୁ ଏବଂ ସୁଦୀପ ବାନ୍ଧୋପାଧ୍ୟାୟ ଅଛନ୍ତି। ସାଂସଦମାନଙ୍କୁ ନିଲମ୍ବନ କରିବା ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଣିଛନ୍ତି।