ଝୁଲଣ ଯାତ୍ରା ଆରମ୍ଭ
ଆଜିଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା। ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ସାତଦିନ ଧରି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜକୁ ବିଜେ କରିଥିଲେ । ଶ୍ରୀମନ୍ଦିର ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣକୁଞ୍ଜରେ ପ୍ରଭୁ ମଦନମୋହନ ଏବେ ପ୍ରାବୃଟ ବା ଶରତ ରାସ କରୁଛନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତଥିବା ବିଭିନ୍ନ ମଠମନ୍ଦିର ତଥା ପୁରୀର ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିଛି । ପ୍ରାୟତଃ ଏକ ମାସ ପୂର୍ବରୁ କାରିଗର ମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣ କରିଥାନ୍ତି | କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ବ୍ୟବହାର କରାଯାଇଥାଏ | ଏହି କୁଞ୍ଜରେ କେବଳ ଦେବା ଦେବୀ ନୁହନ୍ତି ସକ୍ଷୀ, ପଶୁ, ପକ୍ଷୀ ତଥା ବିଭିର୍ନ ଗଛଲତା ସହ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ ।