ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ସହିତ ନିର୍ମଳାଙ୍କ ୧୨ ସୂତ୍ରୀ ଆର୍ଥିକ ପ୍ୟାକେଜ : ଜାଣନ୍ତୁ କଣ ରହିଛି ସୁବିଧା

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ସହିତ ନିର୍ମଳାଙ୍କ ୧୨ ସୂତ୍ରୀ ଆର୍ଥିକ ପ୍ୟାକେଜ : ଜାଣନ୍ତୁ କଣ ରହିଛି ସୁବିଧା

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ସହିତ ନିର୍ମଳାଙ୍କ ୧୨ ସୂତ୍ରୀ ଆର୍ଥିକ ପ୍ୟାକେଜ : ଜାଣନ୍ତୁ କଣ ରହିଛି ସୁବିଧା
ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଥିଲା । ତେବେ ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅର୍ଥ ବ୍ୟବସ୍ଥା ମଧ୍ୟ ସବଳ ହେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି । ଦେଶର ଅର୍ଥନୀତି ଧୀରେ ଧୀରେ ସୁଧୁରିଥିବା ବେଳେ ମୁଡିସ ପକ୍ଷରୁ ଆଜି ଭାରତୀୟ ଅଭିବୃଦ୍ଧିର ରେଟିଂ ପ୍ରକାଶ କରାଯାଇଥିଲା । ପୂର୍ବରୁ ଚଳିତ ବର୍ଷର ଅଭିବୃଦ୍ଧି ହାର ଋଣାତ୍ମକ ୯.୬ ପ୍ରତିଶତ ରହିଥିବା ବେଳେ ଆଜି ଏହାକୁ ଋଣାତ୍ମକ୮.୯କୁ ସଂଶୋଧିତ କରାଯାଇଛି । ସେହିପରି ୨୦୨୨ ସୁଦ୍ଧା ଭାରତୀୟ ଅଭିବୃଦ୍ଧି ୮.୧ ଅନୁମାନ କରାଯାଇଥିବା ବେଳେ ଆଜି ଏହାକୁ ସଂଶୋଧିତ କରାଯାଇ ୮.୭ ରଖାଯାଇଛି । ୱାନ ନେସନ ୱାନ ରାସନ କାର୍ଡକୁ ୨୮ଟି ରାଜ୍ୟରେ ଲାଗୁ କରାଯାଇଥିବା ବେଳେ ପ୍ରାୟ ୮୮.୪୬ କୋଟି ଲୋକ ଏହା ଦ୍ୱାରା ଲାଭବାନ ହୋଇପାରିବେ । ପିଏମ ସ୍ୱନିଧି ଯୋଜନାରେ ପ୍ରାୟ ୨୬.୬୨ ଉଠା ଦୋକାନୀ ଋଣ ପାଇଁ ଆବେଦନ କରିଥିବା ବେଳେ ଏହା ମଧ୍ୟରୁ ୧୩.୭୮ ଲକ୍ଷ ଋଣ ମଞ୍ଜୁର କରାଯାଇଛି । ସେହିପରି ପ୍ରବାସରୁ ଫେରିଥିବା ଶ୍ରମିକ ମାନଙ୍କ ପାଇଁ ଶ୍ରମ ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିତ ଭାବରେ ଏକ ପୋର୍ଟାଲ ନିର୍ମାଣ କରାଯାଉଛି । ଏହା ସହିତ କୃଷି, ମତ୍ସ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଥରାଶି ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ଏହାଛଡ଼ା ସେ କହିଛନ୍ତି ଯେ, ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଶକ୍ତି ଓ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଛି । ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ରୋଜଗାର ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଯୋଜନା ଆସନ୍ତା ୩ ବର୍ଷ ପାଇଁ ଲାଗୁ କରାଯିବ । ଦେଶରେ ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହି ଘୋଷଣା କରାଯାଇଛି । ୧ ଅକ୍ଟୋବର ୨୦୨୦ରୁ ଜୁନ ୩୦, ୨୦୨୧ ମଧ୍ୟରେ କାର୍ଯ୍ୟରେ ଯୋଗ ଦେଇଥିବା କର୍ମଚାରୀଙ୍କ ପାଇଁ ଏହି ଯୋଜନା ଲାଗୁ କରାଯିବ । ସମସ୍ତ ଘରୋଇ କ୍ଷେତ୍ରରେ ଏହି ଯୋଜନା ପ୍ରଣୟନ କରାଯିବ । ଏହା ଯୋଜନା ଅନୁଯାୟୀ ୧ହଜାରରୁ କମ୍ କର୍ମଚାରୀ ଥିବା କମ୍ପାନୀ ଗୁଡିକର କର୍ମଚାରୀଙ୍କ ଅଂଶର ଭବିଷ୍ୟନିଧି ଅର୍ଥ ଏବଂ କମ୍ପାନୀର ଅଂଶ ସରକାର ପ୍ରଦାନ କରିବେ । ତେବେ ୧ ହଜାରରୁ ଅଧିକ କର୍ମଚାରୀ ରହିଥିବା କମ୍ପାନୀରେ କେବଳ କର୍ମଚାରୀଙ୍କ ୧୨ ପ୍ରତିଶତ ସରକାର ବହନ କରିବେ । ୧୫ ହଜାରରୁ କମ ବେତନ ପାଉଥିବା କର୍ମଚାରୀଙ୍କ ପାଇଁ ଏହି ସୁବିଧା ଲାଗୁ କରାଯିବ । ଏହା ଦ୍ୱାରା ଉଭୟ କର୍ମଚାରୀ ଏବଂ କମ୍ପାନୀ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଉଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ । ଏହି ସମୟ ମଧ୍ୟରେ ୩୯.୭ ଲକ୍ଷ ଆୟକର ଦାତାଙ୍କୁ ୧ ଲକ୍ଷ ୩୨ ହଜାର ୮୦୦ କୋଟିର ଆୟକର ରିଟର୍ଣ୍ଣ କରାଯାଇଛି । ଜରୁରୀ କାଳୀନ କ୍ରେଡିଟଲାଇନକୁ ମାର୍ଚ୍ଚ ୨୦୨୧ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏନବିଏଫସି ଜରିଆରେ ୭୨୨୭ କୋଟିର ଅର୍ଥ ବ୍ୟବସ୍ଥା କରାଯାଇଛି । କିଷାନ କ୍ରେଡିଟ କାର୍ଡ ଜରିଆରେ ୨.୫ କୋଟି ଚାଷୀଙ୍କୁ ୧.୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ବିଭିନ୍ନ ଏମଏସଏମଇ ସଂସ୍ଥାକୁ ସୁଦୃଢ କରିବା ପାଇଁ ଋଣ ଫେରସ୍ତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । କ୍ରେଡିଟ ଲାଇନରେ ନେଇଥିବା ଋଣ ପାଇଁ ୧ ବର୍ଷର ମୋରାଟୋରିୟମ ସୁବିଧା ଏବଂ ୪ ବର୍ଷର ପରିଶୋଧ ସମୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୮ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ବଜେଟ ବାଦ ଏହି ୧୮ହଜାର କୋଟି ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ୧୨ ଲକ୍ଷ ନୂତନ ଘର ଏବଂ ସମୁଦାୟ ୧୮ ଲକ୍ଷ ଘର ନିର୍ମାଣ ହେବ । ଏହା ଦ୍ୱାରା ପ୍ରାୟ ୭୮ ଲକ୍ଷ ନିଯୁକ୍ତି ସୃଷ୍ଟି ହେବା ସହିତ ଷ୍ଟିଲ ଏବଂ ସିମେଣ୍ଟ ସେକ୍ଟର ଗୁଡିକ ମଧ୍ୟ ଆର୍ଥିକ ଭାବରେ ସଶକ୍ତ ହୋଇ ପାରିବ । ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ପାଇଁ ରିହାତି ଘୋଷଣା କରିଛନ୍ତି ସରକାର । ଏହା ଦ୍ୱାରା ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ର ସଶକ୍ତ ହୋଇପାରି । ପୂର୍ବରୁ ପର୍ଫମାନ୍ସ ସିକ୍ୟୁରିଟି ବାବଦକୁ ୧୦ ପ୍ରତିଶତର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡୁଥିବା ବେଳେ ଏହାକୁ ୩ ପ୍ରତିଶତକୁ ହ୍ରାସ କରାଯାଇଛି । ୩୧ ଡିସେମ୍ବର ୨୦୨୧ ଯାଏଁ ଏହି ବ୍ୟବସ୍ଥା ଲାଗୁ କରାଯିବ । ସମସ୍ତ ରାଜ୍ୟ ଏହି ପ୍ରକ୍ରିୟା ଆପଣେଇବା ପାଇଁ କୁହାଯାଇଛି । ରିୟଲ ଇଷ୍ଟେଟରେ ମଧ୍ୟ ସଂସ୍କାରର ପ୍ରସ୍ତାବ ରଖାଯାଇଛି । ୨ କୋଟି ମଧ୍ୟରେ ଉଭୟ ଘର ବିକ୍ରି ଏବଂ କିଣିବା ଉପରେ ଏହି ସଂଶୋଧନ ଲାଗୁ କରାଯାଇଛି । ପୂର୍ବରୁ ୧୦ ପ୍ରତିଶତର ଆୟକର ରିହାତି ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । କୃଷି କ୍ଷେତ୍ରରେ ବିକାଶ ପାଇଁ ୬୫ ହଜାର କୋଟିର ବ୍ୟବସ୍ଥା କରାଯାଇଛି । କୃଷି କ୍ଷେତ୍ରରେ ୧୭.୮ ପ୍ରତିଶତ ଅଧିକ ସାର ବ୍ୟବହାର କରାଯିବ । ପୂର୍ବରୁ ବ୍ୟବସ୍ଥା କରାଯାଇଥିବା ୪୯୯ ମେଟ୍ରିକ ଟନ ସାର ବଦଳରେ ୬୧୭ ମେଟ୍ରିକ ଟନ ସାର ପ୍ରଦାନ କରାଯିବ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ଗ୍ରାମାଞ୍ଚଳରେ ଗରିବ କଲ୍ୟାଣ ଯୋଜନା ଅଧୀନରେ ୧୧୬ଟି ଜିଲ୍ଲାକୁ ୩୭ ହଜାର ୫୪୩ କୋଟିର ବ୍ୟବସ୍ଥା କରାଯାଇଛି । ୨୦୨୦-୨୧ ଆର୍ଥକ ବର୍ଷରେ ମନରେଗାରେ ୬୧୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୫୧ କୋଟି ଦିବସର ରୋଜଗାର ସୃଷ୍ଟି କରାଯାଇଥିବା ବେଳେ ୭୩ ହଜାର ୫୦୪ କୋଟିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆହୁରି ୧୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥରାଶି ଗ୍ରାମାଞ୍ଚଳର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବ ।