ଏବେ ଶୁଖିଲା, ୧୨ରୁ ବର୍ଷା
ଏବେ ଶୁଖିଲା, ୧୨ରୁ ବର୍ଷା
admin
Aug 9, 2019 - 06:01
Updated: Aug 9, 2019 - 06:01
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଶୁକ୍ରବାର ପୂର୍ବାହ୍ନ ଯାଏ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲାରେ ବର୍ଷା ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ଏହା ପରେ ଆଉ ବଡ଼ ବର୍ଷା ନାହିଁ । ୧୨ ତାରିଖ ଯାଏ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ
ତେବେ ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧୨ ତାରିଖଠାରୁ ପୁଣିଥରେ ଉତ୍ତର କେନ୍ଦ୍ରୀୟ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଆହୁରି କୁହାଯାଇଛି ଯେ, ମୌସୁମୀ ସକ୍ରିୟ ରହିଥିବାରୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ, ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୩୦ ରୁ ୪୦ କି.ମି ବେଗରେ ପବନ ହେବ । ବେଳେ ବେଳେ ୫୦ କି.ମି ଛୁଇଁବାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି ଏହି ସମୟ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ବର୍ଷା ପରିମାଣ କମିଥିବାରୁ ସମସ୍ତ ବନ୍ଦରରୁ ବିପଦ ସଙ୍କେତ ଉଠାଇ ଦିଆଯାଇଛି ।
ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଚଳିତ ବର୍ଷର ସବୁଠାରୁ ବଡ଼ ବର୍ଷା ହୋଇଛି । ବଲାଙ୍ଗୀରରେ ସର୍ବାଧିକ ୨୧୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୧୭୪.୫, କୋରାପୁଟରେ ୧୨୯.୪, ସୋନପୁରରେ ୧୦୧.୨, ହୀରାକୁଦରେ ୯୪.୨, ଟିଟିଲାଗଡ଼ରେ ୭୯.୮ ମି.ମି ବର୍ଷା ହୋଇଛି । ଚଳିତ ସପ୍ତାହରେ ହୋଇଥିବା ବର୍ଷା ରାଜ୍ୟରେ ଜାରି ରହିଥିବା ନିଅଣ୍ଟିଆ ବର୍ଷାକୁ କିଛି ମାତ୍ରାରେ ପୂରଣ କରିଛି । ଏହା ପରେ ବି କିଛି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି ।