ଏମିତି ନକଲେ ଅଚଳ ହେଇଯିବ ୧୭ କୋଟି ପାନ୍ କାର୍ଡ

ଏମିତି ନକଲେ ଅଚଳ ହେଇଯିବ ୧୭ କୋଟି ପାନ୍ କାର୍ଡ

ଏମିତି ନକଲେ ଅଚଳ ହେଇଯିବ ୧୭ କୋଟି ପାନ୍ କାର୍ଡ
ନୂଆଦିଲ୍ଲୀ: ଆଧାର ନମ୍ବର ସହିତ ପାନ କାର୍ଡକୁ ଲିଙ୍କ କରାଇବାର ସମୟ ସୀମାକୁ ଆଠ ଥର ବୃଦ୍ଧି କରାଗଲାଣି । ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ୧୭ କୋଟିରୁ ଅଧିକ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରାଯାଇନାହିଁ । ସଂସଦରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜାନୁଆରି ସୁଦ୍ଧା ୩୦.୭୫ କୋଟି ପାନ କାର୍ଡକୁ ଆଧାର ସହିତ ଲିଙ୍କ କରାଯାଇଛି । ଏବେବି ୧୭.୫୮ କୋଟି ପାନ କାର୍ଡ ସହ ଆଧାର ଲିଙ୍କ ହୋଇନାହିଁ । ଏହି କାର୍ଯ୍ୟ ସମାପନ କରିବା ଲାଗି କେନ୍ଦ୍ର ସରକାର ୨୦୨୦ ମାର୍ଚ ୩୧ ପର୍ଯ୍ୟନ୍ତ ମହଲତ ପ୍ରଦାନ କରିଛନ୍ତି । ଏହା ପରେ ଯେଉଁ ପାନ କାର୍ଡ ସହିତ ଆଧାର ଲିଙ୍କ ହୋଇନଥିବ ତାହା ଅଚଳ ହୋଇଯିବ । ପାନ କାର୍ଡ ସହିତ ଆଧାର ଲିଙ୍କ କରାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହି ଅନୁସାରେ ୨୦୧୯ ଅର୍ଥ ବିଲରେ ସଂଶୋଧନ କରାଯାଇଛି । ସଂଶୋଧିତ ନିୟମ ଅନୁସାରେ ଆଧାର ସହିତ ଲିଙ୍କ ହୋଇନଥିବା ପାନ କାର୍ଡଗୁଡ଼ିକୁ ଆୟକର ନିୟମର ଧାରା ୧୩୯ଏଏର ଖଣ୍ଡ ୪୧ ଅନୁସାରେ ନିଷ୍କ୍ରିୟ ଘୋଷଣା କରାଯାଇପାରିବ । ଦେଶରେ ୪୮ କୋଟିରୁ ଅଧିକ ପାନ କାର୍ଡ ଜାରି କରାଯାଇଛି । ଆୟକର ପଇଠ କରିବା ବେଳେ ୧୨ ଅଙ୍କ ବିଶିଷ୍ଟ ପାନ ନମ୍ବରକୁ ବ୍ୟବହାର କରାଯାଉଛି । ଟିକସ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲାଗି ଆଧାର ସହିତ ପାନ ଲିଙ୍କ କରିବା ବିଷୟକୁ ବାଧ୍ୟତାମୂଳକ କରାଯାଇଛି । ଏହା ଦ୍ୱାରା ଜାଲ ପାନ କାର୍ଡର ଅପବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଅନୁମାନ କରାଯାଉଛି । ଦେଶରେ ୧୨୦ କୋଟି ଆଧାର କାର୍ଡ ଜାରି କରାଯାଇଛି ।