କଂଗ୍ରେସ ନେତାଙ୍କ ହିସାବରେ ତାଳମେଳ ରହୁନି, ବିଜେଡିର ବିଜୟ ବ୍ୟବଧାନ ବଢ଼ିବ : ଶ୍ରମ ମନ୍ତ୍ରୀ

କଂଗ୍ରେସ ନେତାଙ୍କ ହିସାବରେ ତାଳମେଳ ରହୁନି, ବିଜେଡିର ବିଜୟ ବ୍ୟବଧାନ ବଢ଼ିବ : ଶ୍ରମ ମନ୍ତ୍ରୀ

କଂଗ୍ରେସ ନେତାଙ୍କ ହିସାବରେ ତାଳମେଳ ରହୁନି, ବିଜେଡିର ବିଜୟ ବ୍ୟବଧାନ ବଢ଼ିବ : ଶ୍ରମ ମନ୍ତ୍ରୀ
ଭୁବନେଶ୍ୱର : ବିଜେପୁର ଭୋଟ୍ ସରିଯାଇଛି । ଦିନକ ପରେ ଫଳାଫଳ ଆସିବ । କିନ୍ତୁ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଦର୍ଶନ ନେଇ ବୟାନବାଜି ଜାରି ରଖିଛନ୍ତି । ବିଜେଡି ବହୁ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛି । କିନ୍ତୁ କଂଗ୍ରେସ ନେତାଙ୍କ ହିସାବରେ ତାଳମେଳ ରହୁନି । ପ୍ରତିଦିନ ସେମାନଙ୍କ ହିସାବ ବଦଳୁଛି, ବୟାନ ବି । ଗତ ୧୮ ତାରିଖରେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଥିଲେ ବିଜେପି ବିଜେଡି ଯେଉଁପରି ଅର୍ଥ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ କଂଗ୍ରେସ ପାରିବ ନାହିଁ । ବିଜେଡି ଯେତିକି ପୋଷ୍ଟର ଲଗାଇଛି କଂଗ୍ରେସ ସାତ ଜନମରେ ପାରିବ ନାହିଁ । ଯେତିକି ପତାକା ବିଜେଡି ଲଗାଇଛି, କଂଗ୍ରେସ ୨୦ ଜନମରେ କରିପାରିବ ନାହିଁ । କଂଗ୍ରେସର ସେଠାରେ ଆଦୌ ଭଲ ଫଳାଫଳ କରିବ ନାହିଁ । ଏହାର ତିନି ଦିନ ତଳେ କଥା ବଦଳାଇ ସୁର କହିଲେ, ଭୋଟ ଶେଷ ତିନି ଦିନ ଲୋକଙ୍କ ମତ ବଦଳିଛି । ଲୋକଙ୍କ ବିଶ୍ୱାସ କଂଗ୍ରେସ ଆଡ଼କୁ ମୁହାଁଉଛି । ବିଜେପି ବିଜେଡିର ଟଙ୍କା ଖର୍ଚ୍ଚ ଦେଖି ଆମେ ଭୟଭୀତ ହୋଇଯାଇଥିଲୁ କି ସେମାନେ ଜିତିବେ । କିନ୍ତୁ ବିଜେପୁରବାସୀ ବିବେକ ଅନୁଯାୟୀ ଆମକୁ ଭୋଟ ଦେବେ । ଆମେ ସେଠାରେ ଭଲ ଫଳାଫଳ କରିବୁ । କାରଣ ନବୀନ ବାବୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରି ନାହାନ୍ତି । ବିଜୟ ନେଇ ସୁରଙ୍କ ଏହି ମନ୍ତବ୍ୟକୁ ସେହିଦିନ ଗ୍ରହଣ କରି ନଥିଲେ ଆଉ ଜଣେ ବରିଷ୍ଠ ବିଧାୟକ ତଥା ତାରା ପ୍ରସାଦ ବାହିନୀପତି । ସେ କହିଥିଲେ ବିଜେପୁରରେ କଂଗ୍ରେସ ମୋଟ ୨୦ ଲକ୍ଷ ଟଙ୍କାରେ ନିର୍ବାଚନ ଲଢ଼ୁଛି । ପିସିସି ସଭାପତି ଏହି ଟଙ୍କା ଖର୍ଚ୍ଚ କରିବାକୁ ଦେଇଥିଲେ । ମାତ୍ର ବିଜେପି ବିଜେଡି ଯେଉଁପରି ଟଙ୍କା ଉଡ଼ାଉଛନ୍ତି ତାଙ୍କ ଆଗରେ ଆମେ ପାରିବୁ ନାହିଁ । କଂଗ୍ରେସ ଭଲ ଫଳାଫଳ କରିବ ନାହିଁ । ଆଜି ନିଜ କଥା ବଦଳାଇଛନ୍ତି ଶ୍ରୀ ବାହିନୀପତିି । ସେ କହିଛନ୍ତି କଂଗ୍ରେସ ସେଠାରେ ଭଲ ଫଳାଫଳ କରିବ । ନିର୍ବାଚନରେ କଂଗ୍ରେସ ଅଧିକ ଅର୍ଥ ଖର୍ଚ୍ଚ କରି ନଥିଲେ ମଧ୍ୟ ଲୋକ ଭଲ ଭୋଟ ଦେଇଛନ୍ତି । ଖର୍ଚ୍ଚ ଅନୁସାରେ ବିଜେଡି ଭୋଟ ପାଇବନି । ଅଧିକ ଭୋଟ ନ ହେଲେ ବି ୨/୩ ହଜାରରେ କଂଗ୍ରେସ ପ୍ରାର୍ଥୀ ଜିତିଯିବେ । ନିର୍ବାଚନ ମଣ୍ଡଳୀରୁ ବୁଲିକି ଆସିବା ପରେ କଂଗ୍ରେସ ଭଲ ସ୍ଥିତିରେ ଥିବା ଅନୁମାନ ହେଉଛି । ତେବେ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ବିଜେପୁରରେ ବିଜେଡି ଏକପାଖିଆ ବିଜୟ ହାସଲ କରିବ । ସାଧାରଣ ନିର୍ବାଚନ ଠାରୁ ଏଥର ବିଜୟ ବ୍ୟବଧାନ ଅଧିକ ରହିବ । ବିଜେପି ଓ କଂଗ୍ରେସର କୌଣସି କଥାକୁ ଲୋକ ଗ୍ରହଣ କରି ନାହାନ୍ତି । ନିର୍ବାଚନରେ ବିଜେଡି ସପକ୍ଷରେ ସମ୍ପୂର୍ଣ୍ଣ ଜନମତ ରହିଥିଲା ।