କଳିଙ୍ଗ ହସ୍ପିଟାଲକୁ ଲାଗିଲା ଝଟକା
କଳିଙ୍ଗ ହସ୍ପିଟାଲକୁ ଲାଗିଲା ଝଟକା
admin
Jul 20, 2019 - 12:04
Updated: Jul 20, 2019 - 12:04
ଭୁବନେଶ୍ୱର : ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା କଳିଙ୍ଗ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି। ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି। ଦୁର୍ବ୍ୟବହାର କରୁଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଅନ୍ୟ ହସ୍ପିଟାଲ୍ରେ ଯେପରି ଏମିତି ଘଟଣା ନଘଟିବ, ସେଥିପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହା କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଗାଁର ବାସୁଦେବ ବାରିକଙ୍କ ପୁଅ ସଚିନ କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଚିକିତ୍ସା ବାବଦ ଅର୍ଥ ପୈଠ ହୋଇଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଅର୍ଥ ଦାବି କରି ମୃତଦେହ ଛାଡ଼ିନଥିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ମୋହନ ମାଝୀଙ୍କୁ ମୃତ ସଚିନଙ୍କ ପିତା ବାସୁଦେବ ବାରିକ ଅବଗତ କରିବା ସହ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ଏହାପରେ ଶ୍ରୀ ମାଝୀ କଳିଙ୍ଗ ହସ୍ପିଟାଲ ଡିଜିଏମଙ୍କ ସହ ଆଲୋଚନା କରି ମୃତଦେହ ସମ୍ପୃକ୍ତ ପରିବାରକୁ ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ବକେୟା ଅର୍ଥ ପୈଠ ନହେଲେ ମୃତଦେହକୁ ଛଡ଼ାଯିବ ନାହିଁ ବୋଲି ଡିଜିଏମ୍ ଓ ଆକାଉଣ୍ଟସ୍ କର୍ମଚାରୀମାନେ ରୋକଠୋକ୍ କହିବା ସହ ବିଧାୟକ ଶ୍ରୀ ମାଝୀଙ୍କୁ ଦୁର୍ବ୍ୟବହାର କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠୁ ଅପମାନିତ ହେବା ପରେ ଶ୍ରୀ ମାଝୀ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ।