କାଲି ଦୀପାବଳି, ବାଣ ମିଳୁନି

କାଲି ଦୀପାବଳି, ବାଣ ମିଳୁନି

କାଲି ଦୀପାବଳି, ବାଣ ମିଳୁନି

ଭୁବନେଶ୍ୱର: ଗୁରୁବାର ଦୀପାବଳି । ଏଯାଏଁ ଖୋଲିପାରିନି ବାଣ ଦୋକାନ । ହୋଲସେଲ ବ୍ୟବସାୟୀ ବି ବାଣ ବିକ୍ରି କରିପାରୁନାହାନ୍ତି । ଅଧିକାଂଶ ହୋଲସେଲ ଦୋକାନରେ ତାଲା ପଡ଼ିଛି । ଲାଇସେନ୍ସ ଜଟିଳତା ନେଇ ସବୁ ଏବେ ଦ୍ୱନ୍ଦ୍ୱରେ ।  ହୋଲସେଲ ବ୍ୟବସାୟୀ କହୁଛନ୍ତି, ସବୁଜ ବାଣ ପାଇଁ ଅନୁମତି ମିଳିବା ପରେ ଲାଇସେନ୍ସ ମିଳିବା କଷ୍ଟକର ହୋଇପଡ଼ିଛି । ଖୁଚୁରା ବ୍ୟବସାୟୀ କହୁଛନ୍ତି, ସବୁଜ ବାଣ କ’ଣ, ଏଯାଏ ଆମେ ଜାଣିନୁ । ବାଣ ଆଣି ବେପାର କରିବାକୁ ଆଉ ସମୟ ନାହିଁ । ଲୁଚିଛପି କିଛି ବ୍ୟବସାୟୀ ଫୁଲଝରି, ଘରି ଆଦି ବାଣ ବିକ୍ରି କରୁଛନ୍ତି । ଭୁବନେଶ୍ୱର ସହରରେ କେବଳ ଦୀପ ଓ ଲାଇଟ ହିଁ ବିକ୍ରି ଚାଲିଛି । ଲୋକେ ବାଣ ପାଇଁ ଏ ବଜାର ସେ ବଜାର ଘୁରୁଛନ୍ତି, ହେଲେ ମିଳୁନି ।

  ଅନ୍ୟପକ୍ଷରେ ବେଆଇନ ବାଣ ନେଇ ଚଢ଼ାଉ ଜାରି ରହିଛି । ଗତକାଲି କଟକ ଓ ଜଟଣୀରେ ଜୋରଦାର ଚଢ଼ାଉ କରିଥିଲା ପୁଲିସ । ଆଜି ବି ଚଢ଼ାଉ କରି ବିଡ଼ାନାସୀରେ ବାଣ ଦୋକାନ ସିଲ୍ କରିଛି ପୁଲିସ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗତକାଲି ପୁଲିସ ଓ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି, ଗୋଟିଏ ବି ବେଆଇନ ବାଣ ଦୋକାନକୁ ଛାଡ଼ନି । ବ୍ୟାପକ ଚଢ଼ାଉ କର । ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ କେବଳ ସବୁଜ ବାଣ ଛଡ଼ା ଅନ୍ୟ କୌଣସି ବାଣ ଯେପରି ନ ବିକ୍ରି କରିବେ, ଧରପଗଡ଼ କର । ଦୀପାବଳିରେ ରାତି ୮ଟାରୁ ୧୦ଟା ଭିତରେ କେବଳ ସବୁଜ ବାଣ ହିଁ ଫୁଟିବ । ଯିଏ ନିୟମ ଭାଙ୍ଗୁଛି, କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଭୟରେ ଲୁଚାଛପାରେ ବେଆଇନ ବାଣ ବିକ୍ରି କରିବାକୁ ବ୍ୟବସାୟୀ ଡରୁଛନ୍ତି । ବିଶେଷଜ୍ଞ କହିଛନ୍ତି, କରୋନା ଏବେ ଯାଇନି । ବାୟୁ ପ୍ରଦୂଷଣ ଆମ ପାଇଁ ବିପଦ ହୋଇପାରେ । ତେଣୁ ବାଣ ନ ଫୁଟାଇବା ଭଲ । ଯଦି ବି ଫୁଟାଇବେ, କେବଳ ସବୁଜ ବାଣ ନିଅନ୍ତୁ । ଏହାକୁ ମଧ୍ୟ ଅଳ୍ପ ଫୁଟାଇବା ଉଚିତ ।