କୃଷି ବିଲ ପ୍ରତ୍ୟାହାର ଓ ଚାଷୀ ସୁରକ୍ଷା ଦାବିରେ କଂଗ୍ରେସ ବିଧାୟକଙ୍କ ଗୃହରେ ତୁମୁଳ ହଟ୍ଟଗୋଳ

କୃଷି ବିଲ ପ୍ରତ୍ୟାହାର ଓ ଚାଷୀ ସୁରକ୍ଷା ଦାବିରେ କଂଗ୍ରେସ ବିଧାୟକଙ୍କ ଗୃହରେ ତୁମୁଳ ହଟ୍ଟଗୋଳ

କୃଷି ବିଲ ପ୍ରତ୍ୟାହାର ଓ ଚାଷୀ ସୁରକ୍ଷା ଦାବିରେ କଂଗ୍ରେସ ବିଧାୟକଙ୍କ ଗୃହରେ ତୁମୁଳ ହଟ୍ଟଗୋଳ
ଭୁବନେଶ୍ୱର : କୃଷି ବିଲ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଏହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳିଛି । କୃଷି ବିଲ ପ୍ରତ୍ୟାହାର ଓ ଚାଷୀ ସୁରକ୍ଷା ଦାବିରେ କଂଗ୍ରେସ ବିଧାୟକମାନେ ଗୃହରେ ତୁମୁଳ ହଟ୍ଟଗୋଳ କରିଛନ୍ତି । ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକମାନେ ନାରାବାଜି କରି ଗୃହକୁ କମ୍ପାଇ ଦେଇଛନ୍ତି । ଫଳରେ ଗୃହକାର୍ଯ୍ୟ ସମ୍ଭବପର ହୋଇପାରିନାହିଁ । ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି । ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ‘କୃଷି ବିଲ ପ୍ରତ୍ୟାହାର ଆମର ଦାବି’, ‘ଚାଷୀ ସୁରକ୍ଷା ଆମର ଦାବି’, ‘ସରକାର ତୁମ ଦୋମୁହାଁ ନୀତି ଚଳିବ ନାହିଁ’ ଆଦି ନାରାବାଜି କରି ଗୃହକୁ କମ୍ପାଇ ଦେଇଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି ଚଉକି ଉପରେ ଚଢ଼ି ବାଚସ୍ପତିଙ୍କ ପୋଡ଼ିୟମ ବାଡେ଼ଇ ନାରାବାଜି କରିଥିଲେ । ଅପରପକ୍ଷରେ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ବାରମ୍ବାର ନିବେଦନ କରିଥିଲେବି ସେମାନେ କର୍ଣ୍ଣପାତ କରିନଥିଲେ । ଫଳରେ ଗୃହକୁ ପ୍ରଥମ ଦଫାରେ ୧୦ଟା ୩୧ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ପୁନଶ୍ଚି ସାଢେ଼ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଅନରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ତାରାଙ୍କ ସମେତ ଅନ୍ୟ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ବାଡେ଼ଇ ନାରାବାଜି କରିଥିଲେ । ସେହିପରି ବାଚସ୍ପତିଙ୍କ ସାମ୍ନାରେ ଲାଗିଥିବା ଫାଇବର ଗ୍ଲାସକୁ ବି ଟଣାଓଟରା କରୁଥିବା ଦେଖିବାକୁ ମିଳିଥିଲା । ଗୃହରେ କଂଗ୍ରେସ ବିଧାୟକମାନଙ୍କ ହଟ୍ଟଗୋଳ ଭିତରେ ବାଚସ୍ପତି ଡକ୍ଟର ପାତ୍ର କହିଲେଯେ, ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ସଂକଳ୍ପ ପ୍ରସଙ୍ଗ ଉଠାଇଥିଲେ । ଆଜି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟ ପରାମର୍ଶଦାତା ବୈଠକରେ ଏନେଇ ଆଲୋଚନା କରିବାକୁ ସେ କହିଥିଲେ । କିନ୍ତୁ ଆଜି ଗୁରୁତ୍ୱପୂର୍ଣ୍ଣ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଥିବାରୁ ଆସନ୍ତାକାଲି କାର୍ଯ୍ୟ ପରାମର୍ଶଦାତା ବୈଠକ ବସିବ ବୋଲି ବାଚସ୍ପତି କହିଥିଲେ । ଏହା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଲେଯେ, ଆଜି ଗୃହରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚଦାବି ସମ୍ପର୍କରେ ଆଲୋଚନା କରାଯିବ । ପୂର୍ବରୁ ମଧ୍ୟ ଗୃହକାର୍ଯ୍ୟ ବହୁଥର ବ୍ୟାଘାତ ହୋଇଛି । ତେଣୁ ଗୃହ ଚାଲିବା ଦରକାର । ସେହିପରି ସରକାର ଧାନ କିଣା ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି । ତେବେ ଯେଉଁ ଚାଷୀଙ୍କର ବାପାଙ୍କର ମୃତୁ୍ୟ ଘଟୁଛି ବା ଯେଉଁମାନଙ୍କର ପଟ୍ଟା ନିଜ ନାମରେ ନାହିଁ ସେକ୍ଷେତ୍ରରେ ପଞ୍ଜୀକରଣରେ ସମସ୍ୟା ସୃଷ୍ଟି ହେଉଛି । ଆଧାର କାଡର଼୍ ମଧ୍ୟ ଲିଙ୍କ ହୋଇପାରୁନାହିଁ । ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିରୋଧୀ ଦଳ ନେତା ଦାବି କରିଥିଲେ । ଅପରପକ୍ଷରେ ଗୃହରେ ହଟ୍ଟଗୋଳ ଜାରି ରହିଥିବାବେଳେ ତାରା ଚଉକି ଉଠାଇ ପୋଡ଼ିୟମକୁ ବାଡ଼ାଉଥିବା ଦେଖିବାକୁ ମିଳିଥିଲା । ଗୃହରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟିହେବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ୧୧ଟା ୩୪ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।