କ୍ୟାପିଟାଲ ହସ୍ପିଟାଲରେ ଓପିଡିରେ ଦୈନିକ ରୋଗୀ ସଂଖ୍ୟା ତିନି ହଜାରରୁ ଅଧିକ
କ୍ୟାପିଟାଲ ହସ୍ପିଟାଲରେ ଓପିଡିରେ ଦୈନିକ ରୋଗୀ ସଂଖ୍ୟା ତିନି ହଜାରରୁ ଅଧିକ
admin
Feb 27, 2021 - 04:47
Updated: Feb 27, 2021 - 04:47
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଉଭୟ ଓପିଡି ଏବଂ ଆଇପିଡିରେ ଦୈନିକ ରୋଗୀ ସଂଖ୍ୟା ତିନି ହଜାରରୁ ଅଧିକ ହେଉଛି । ଦୁଇ ବେଳା ଓପିଡି ସହିତ ୨୪ଘଣ୍ଟିଆ ଆଶୁଚିକିତ୍ସା କେନ୍ଦ୍ରରେ ସେବା ପ୍ରଦାନ କରାଯାଉଛି। ହେଲେ ରୋଗୀଙ୍କ ସମସ୍ୟା ଦୂର ହେଉନାହିଁ। ଯେଉଁଠି ଦେଖିବ ସେଠାରେ ଧାଡ଼ି। ସବୁଠୁ ଅଧିକ ଅସୁବିଧା ହେଉଛି ଟିକଟ କାଉଣ୍ଟରରେ। ସକାଳ ୭ଟାରୁ ଲାଗିଯାଉଛି ଲମ୍ବା ଲାଇନ। ଏମିତିକି ଯିବା ପାଇଁ ବାଟ ମିଳୁନି। ଏହାକୁ ଉପଲବ୍ଧି କରି ଆଉ ଏକ ଟିକଟ କାଉଣ୍ଟର ଖୋଲିବା ନେଇ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି।
ଦୈନିକ ୩୦୦୦ରୁ ଅଧିକ ରୋଗୀ ହସ୍ପିଟାଲକୁ ଆସୁଥିବାବେଳେ ୨୦ରୁ ଅଧିକ ବିଭାଗ ସହିତ ସୁପରସ୍ପେଶିଆଲିଷ୍ଟ ଓପିଡି ରହିଛି। ଏଥିନିମନ୍ତେ ଗୋଟିଏ ମାତ୍ର ଟିକଟ କାଉଣ୍ଟର ରହିଛି। ସେଠାରେ ମହିଳା, ପୁରୁଷ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଥିଲେ ହେଁ ଏହି କେନ୍ଦ୍ର ଉପରେ ହସ୍ପିଟାଲର ସମସ୍ତ ରୋଗୀ ନିର୍ଭର କରନ୍ତି। ଏଠାରେ ସ୍ଥିତି ଏମିତି ହେଉଛି ସକାଳ ୮ଟାରେ ଆସିଲେ ଟିକଟ ମିଳିବା ବେଳେବେଳେ ଅସମ୍ଭବ ହୋଇପଡୁଛି। ଏହାଛଡ଼ା ଗୁରୁତର ରୋଗୀଙ୍କୁ ତ୍ବରିତ ଟିକଟ ମିଳିବାରେ ବିଳମ୍ବ ହେଉଛି। ପ୍ରତିଦିନ ଏଭଳି ପରିସ୍ଥିତି ଉପୁଜୁଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ। ଅନେକ ଫେରିଯାଉଥିବାବେଳେ ଆଉକିଛି ଘରୋଇ ହସ୍ପିଟାଲକୁ ବାଧ୍ୟ ହୋଇ ଯାଉଛନ୍ତି। ଏହାସହିତ ବିଭିନ୍ନ ଓପିଡିରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଥିବାବେଳେ ଟିକଟ କାଉଣ୍ଟରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି।ଏହାକୁ ନେଇ କର୍ତ୍ତୃପକ୍ଷ ଆଉ ଏକ ଟିକଟ କାଉଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫାଣ୍ଡି ହଟିଗଲା ପରେ ସେହି ସ୍ଥାନକୁ ଲାଗି ଟିକଟ କାଉଣ୍ଟର କରାଯିବ। ତେବେ ପିପିପି ମୋଡ୍ରେ କରାଯିବ କି ହସ୍ପିଟାଲ ପକ୍ଷରୁ ମାନସମ୍ବଳ ଯୋଗାଇ ଦିଆଯିବ ତାହା ଏଯାବତ୍ ସ୍ଥିର ହୋଇନାହିଁ। ଦ୍ବିତୀୟ ଟିକଟ କାଉଣ୍ଟର ଖୋଲିବା ଦ୍ବାରା ଭିଡ଼ ହ୍ରାସ ପାଇବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।