ଗାଁକୁ କରୋନା ମୁକ୍ତ କରିବା ପାଇଁ ନିଜ ଜିଭ କାଟି ମନ୍ଦିରରେ ଚଢ଼ାଇଲେ ଜଣେ ଯୁବତୀ ।
ଗାଁକୁ କରୋନା ମୁକ୍ତ କରିବା ପାଇଁ ନିଜ ଜିଭ କାଟି ମନ୍ଦିରରେ ଚଢ଼ାଇଲେ ଜଣେ ଯୁବତୀ ।
admin
May 23, 2020 - 10:16
Updated: May 23, 2020 - 10:16
ମାନବ ସମାଜରେ ଏବେ ମଧ୍ୟ ଲୋକମାନେ ଅନ୍ଧବିଶ୍ୱାସର କବଳରୁ ମୁକୁଳି ପାରୁନାହାନ୍ତି । ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି । ସେଠାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁକୁ କରୋନା ସଂକ୍ରମଣରୁ ରକ୍ଷା କରିବା ଲାଗି ଜଣେ ୧୬ ବର୍ଷୀୟ ଝିଅ ନିଜର ଜିଭ କାଟି ଶିବ ମନ୍ଦିରରେ ଚଢ଼ାଇ ଦେଇଛନ୍ତି ।
ରିପୋର୍ଟ ଅନୁସାରେ ଘଟଣାଟି ବଦୌସା ଥାନା ଅଞ୍ଚଳର ଭଦାବଳ ଗାଁରେ ଘଟିଛି । ସେଠାକାର ଗାୟତ୍ରୀ ନାମ୍ନୀ ଜଣେ କିଶୋରୀ ନିୟମିତ ଭାବେ ଗାଁର ଶିବ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ । ବୁଧବାର ସନ୍ଧ୍ୟାବେଳେ ସେ ପୂଜା କରିବାକୁ ଯାଇଥିବା ବେଳେ ଶିବଲିଙ୍ଗ ଉପରେ ପାଣି ଚଢ଼ାଇବା ପରେ ଛୁରୀ ବାହାର କରି ନିଜର ଜିଭକୁ କାଟି ଠାକୁରଙ୍କ ଉପରେ ଚଢ଼ାଇ ଦେଇଥିଲେ । ଏହା ଦେଖି ପୂଜାରୀଙ୍କ ସମେତ ଗାଁର ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଜିଭ କାଟିବା ପରେ ସେ ମନ୍ଦିରରେ ଲହୁଲୁହାଣ ବେହୋସ ହୋଇ ପଡ଼ି ରହିଥିଲେ । ଏହା ପରେ ପୁଲିସ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରୁ ତାଙ୍କ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏ ସମ୍ପର୍କରେ କିଶୋର ଜଣକ କହିଛନ୍ତି, ଗତ ଅନେକ ଦିନ ହେଲା ସେ କରୋନାକୁ ନେଇ ଭୟାବହ ଖବର ଶୁଣି ଆସୁଥିଲେ । ନିଜ ଗାଁରେ ଯେପରି ସେଥିରୁ ରକ୍ଷା ପାଇପାରିବେ ସେଥିଲାଗି ସେ କିଛି ଦିନ ତଳେ ଭଗବାନଙ୍କ ଶିବଙ୍କ ନିକଟରେ ମାନସିକ କରିଥିଲେ । ତେଣୁ ଶିବ ମନ୍ଦିରକୁ ଯାଇ ସେଠାରେ ଜିଭ କାଟି ଦେଇଥିଲେ । ଏହି ଘଟଣା ପରେ ବାନ୍ଦାର ଜିଲ୍ଲାପାଳ ଅମିତ ସିଂହ ବଂଶଲ କହିଛନ୍ତି କିଶୋରୀ ଜଣକର ଚିକିତ୍ସା କରାଯାଉଛି । ଆବଶ୍ୟକ ପଡ଼ିଲେ ତାଙ୍କୁ କାଉନସେଲିଂ କରାଯିବ ।