ସୁନିଦ୍ରା ନିମନ୍ତେ ଆସିଗଲା ସ୍ୱତନ୍ତ୍ର ପୋଷାକ
ସୁନିଦ୍ରା ନିମନ୍ତେ ଆସିଗଲା ସ୍ୱତନ୍ତ୍ର ପୋଷାକ
admin
Jan 22, 2020 - 02:05
Updated: Jan 22, 2020 - 02:05
ନିଦ ନିମନ୍ତେ ସ୍ୱତନ୍ତ୍ର ପୋଷାକ
ଏକବିଂଶ ଶତାବ୍ଦୀରେ କିଛି ଆଉ ଅସମ୍ଭବ ନୁହେଁ । ନିକଟରେ ହୋଇଥିବା ପ୍ୟାରିସ ଫେସନ ୱିକର ସ୍ଥିତିରୁ ଏହା ସ୍ପଷ୍ଟ ଅନୁମେୟ । ନେଦରଲ୍ୟାଣ୍ଡର ନାମୀ ଫେସନ ଡିଜାଇନର ଭିକ୍ଟର ଆଣ୍ଡ ରୋଲଫ ଏଇ କିଛି ସପ୍ତାହ ତଳେ ଏକ ସ୍ୱତନ୍ତ୍ର ଧରଣର ପୋଷାକ ଡିଜାଇନ କରିଛନ୍ତି । ଯାହାର ନାମ ‘ସ୍ଲିପିଂ ବୁ୍ୟଟି’ ରଖାଯାଇଛି । ମଡେଲରଙ୍କ ୱାକ ସମୟରେ ଦେଖଣାହାରୀ ଏଭଳି ଡିଜାଇନର ପୋଷାକ ଦେଖି ପ୍ରଶଂସା କରିବାକୁ ଭୁଲିନଥିଲେ । କାରଣ ନିଦପ୍ରେମୀ ମହିଳାଙ୍କ ନିମନ୍ତେ ଏହା ଥିଲା ଏକ ସୁନ୍ଦର ପୋଷାକ । ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ କେତେ ଜଣ ପୁରୁଷ ଥଟ୍ଟାରେ କହିଥିଲେ, ପୁରୁଷଙ୍କ ପାଇଁ ଏପରି ନିଦର ପୋଷାକ, ଫେସନ ଡିଜାଇନର କେବେ ତିଆରି କରିବେ? ଦୁଇଟି ବଡ଼ ବଡ଼ ତକିଆ ସଂଲଗ୍ନ ହୋଇଥିବା ଏକ ଲମ୍ବା ଗାଉନ ପିନ୍ଧି ଆପଣ ସେ କୌଣସି ପାର୍ଟିକୁ ଯାଇପାରିବେ, ଆଉ ଫେରିବା ସମୟରେ ଥକି ଯାଇଥିଲେ ସେଇ ପୋଷାକ ପିନ୍ଧି ଶୋଇପାରିବେ ବୋଲି ଡିଜାଇନର ଭିକ୍ଟର ହସି ହସି କହିଥିଲେ । ଲାଲ ଓ ଧଳା ରଙ୍ଗା ଏକ ସ୍ଲିପିଂ ବୁ୍ୟଟି ପୋଷାକ ଖୁବ ଶୀଘ୍ର ପ୍ୟାରିସରେ ନାମୀଦାମୀ ଶୋ’ରୁମରେ ଉପଲବ୍ଧ ହେବ । ପୋଷାକରେ ଲାଗିଥିବା ତକିଆରେ ଦାମୀ ମୋତିର କାରୁକାର୍ଯ୍ୟ ହୋଇଛି । ଯାହା ଅନ୍ୟତମ ଆକର୍ଷଣ । ୧୯୯୩ ରେ ଭିକ୍ଟର ଆଣ୍ଡ ରୋଲଫ ଫେସନ ଜଗତରେ ପାଦ ଥାପିଥିଲେ । ଏବେ ସେମାନେ ବିଶ୍ୱର ଦାମୀ ଫେସନ ଡିଜାଇନର ଭାବେ ଜଣାଯାଉଛନ୍ତି ।