ଗାଡ଼ି କମ୍ପାନୀ ଦିନକୁ କ୍ଷତି ସହୁଛି ୨୩୦୦ କୋଟି

ଗାଡ଼ି କମ୍ପାନୀ ଦିନକୁ କ୍ଷତି ସହୁଛି ୨୩୦୦ କୋଟି

ଗାଡ଼ି କମ୍ପାନୀ ଦିନକୁ କ୍ଷତି ସହୁଛି ୨୩୦୦ କୋଟି
କରୋନା ମହାମାରୀ ପାଇଁ ଦେଶରେ ସରକାର ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏଥିଯୋଗୁଁ ବିଭିନ୍ନ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ମାତ୍ରାରେ ପ୍ରଭାବିତ ହୋଇଛି । ବିଶେଷ କରି ଅଟୋମୋବାଇଲ ଶିଳ୍ପ ଦୈନିକ ୨୩୦୦ କୋଟି ଟଙ୍କାର କ୍ଷତି ସହୁଛି ବୋଲି ଭାରତୀୟ ଅଟୋମୋବାଇଲ ନିର୍ମାତା ସଂଘ ପକ୍ଷରୁ କୁହାଯାଇଛି । ସିଆମର ହିସାବ ଅନୁଯାୟୀ ମାର୍ଚ୍ଚ ମାସରେ ଯାତ୍ରୀବାହୀ ଯାନର ବିକ୍ରି ୫୧ ପ୍ରତିଶତ ହ୍ରାସ ପାଇଛି । ଗତ ବର୍ଷ ମାର୍ଚ୍ଚରେ ଦେଶରେ ଯାତ୍ରୀବାହୀ ଯାନ ବିକ୍ରି ସଂଖ୍ୟା ୨,୯୧,୬୮୧ ୟୁନିଟ ଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚରେ ଏହା ୧୪୩୦୧୪ ୟୁନିଟକୁ ହ୍ରାସ ପାଇଛି । ସେହିଭଳି ବାଣିଜ୍ୟିକ ଯାନ ବିକ୍ରି ମଧ୍ୟ ମାର୍ଚ୍ଚ ମାସରେ ୮୮.୯୫ ପ୍ରତିଶତ କମିଯାଇ ୧୩,୦୨୭ ୟୁନିଟ ରହିଛି । ଗତବର୍ଷ ମାର୍ଚ୍ଚରେ ଏହା ୧୦୯୦୨୨ ୟୁନିଟ ରହିଥିଲା । ସେହିଭଳି ମାର୍ଚ୍ଚ ମାସରେ ଦୁଇ ଚକିଆ ଯାନ ବିକ୍ରି ୩୯.୮୩ ପ୍ରତିଶତ ହ୍ରାସ ଘଟି ୮,୬୬,୮୪୯ ୟୁନିଟ ରହିଛି । ପୂର୍ବ ବର୍ଷ ମାର୍ଚ୍ଚରେ ଦେଶରେ ଦୁଇ ଚକିଆ ଯାନ ବିକ୍ରି ସଂଖ୍ୟା ୧୪,୪୦,୫୯୩ ୟୁନିଟ ରହିଥିଲା । ତେବେ ସମସ୍ତ ବର୍ଗର ଗାଡ଼ି ବିକ୍ରି ମାର୍ଚ୍ଚରେ ୪୪.୯୫ ପ୍ରତିଶତ ହ୍ରାସ ଘଟି ୧୦,୫୦,୩୬୭ ରହିଛି । ଗତ ବର୍ଷ ମାର୍ଚ୍ଚ ମାସରେ ସବୁ ବର୍ଗର ଗାଡ଼ି ସଂଖ୍ୟା ଦେଶରେ ୧୯,୦୮,୦୯୭ ୟୁନିଟ ରହିଥିଲା । ଚଳିତ ବର୍ଷର ମାର୍ଚ୍ଚ ମାସ ଅଟୋ ଶିଳ୍ପ ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଥିଲା । ଲକଡାଉନ ଯୋଗୁଁ ମାର୍ଚ୍ଚ ଶେଷ ସପ୍ତାହରେ ଗାଡ଼ି ଉତ୍ପାଦନ ଏବଂ ବିକ୍ରି ଠପ୍ ହୋଇଯାଇଥିଲା ବୋଲି ସିଆମ ସଭାପତି ରାଜନ ୱାଧେରା କହିଛନ୍ତି । ଏଥିଯୋଗୁଁ ଗାଡ଼ି କମ୍ପାନୀ ଗୁଡ଼ିକର ରାଜସ୍ୱ ଗୁରୁତର ପ୍ରଭାବିତ ହୋଇଛି । ଅରିଜିନାଲ ଉପକରଣ ନିର୍ମାତାମାନେ ସେମାନଙ୍କ ବ୍ୟବସାୟ ଚଳାଇ ରଖିବା ପାଇଁ ଆବଶ୍ୟକ ପୁଞ୍ଜି ଯୋଗାଡ଼ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସିଆମର ଆକଳନ ଅନୁଯାୟୀ ଅଟୋ ଶିଳ୍ପକୁ ଦୈନିକ ୨୩୦୦ କୋଟି ଟଙ୍କାର କ୍ଷତି ହୋଇଛି । କାରଖାନା ବନ୍ଦ ରହିବା ଯୋଗୁଁ ଉତ୍ପାଦନ ରାଜସ୍ୱ ବାବଦରେ ଦୈନିକ ଏହି କ୍ଷତି ଶିଳ୍ପକୁ ସହିବାକୁ ପଡ଼ୁଛି । ଅଟୋ ମୋବାଇଲ ଶିଳ୍ପ ଉପରେ କରୋନା ଏବଂ ଲକଡାଉନ ପ୍ରଭାବ ଯେଭଳି କମ୍ ରହିବ ସେ ନେଇ ସଂଘ ପକ୍ଷରୁ ସରକାରଙ୍କ ସହିତ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି ।