ଚାଲିଗଲେ ମା ଆଉ ବାପା, ଛୁଆ ହୋଇଗଲା ଅନାଥ
କଟକ ଜିଲ୍ଲା ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ବାପା, ପୁଅବୋହୂଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣା ସମସ୍ତେ ଜାଣଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ପୁଅ ଦୀନବନ୍ଧୁ ରାଉତଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ବୋହୂଙ୍କ ମୃତ୍ୟୁ ହୋଇଥିଲା । ଆଉ ଅନାଥ ହୋଇଗଲା ଛୁଆ । ମାତ୍ର ଟଙ୍କା କେଇଟା ପାଇଁ ଚାଲିଗଲା ଦୁଇଦୁଇଟା ଜୀବନ । ଟଙ୍କା ନଦେବାରୁ ଗତ ଶନିବାର ନିଜ ଜନ୍ମକରିଥିବା ପୁଅ ଆଉ ବୋହୂ ଉପରେ ପେଟ୍ରୋଲଢାଳି ନିଆଁ ଲଗାଇ ଦେଇଥିଲା ବାପା ଗୋବର୍ଦ୍ଧନ ରାଉତ । ବାପା ଭିତରେ ଯେ ଏଭଳି ଏକ ନୁଶଂସ ଚେହେରା ଲୁଚି ରହିଥାଏ ତାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଗୋବର୍ଦ୍ଧନ । ସ୍ଵାମୀଙ୍କୁ ବଞ୍ଚାଇବାକୁ ଯାଇ ବୋହୂ ସସ୍ମିତା ନିଜେ ସିନା ପୋଡ଼ି ହୋଇଗଲା । କିନ୍ତୁ ବଞ୍ଚାଇ ପାରିଲାନି ସ୍ବାମୀକୁ । ଏବେ କଣ ହେବ ସେ ଛୁଆର ଭବିସ୍ୟତ ଭାବିଲା ବେଳକୁ ରୁମଟାଙ୍କୁରି ଉଠୁଛି । କେମିତି ଦେଖିବ ସେ ନିଜର ଜେଜକୁ, ନିଜ ବାପା ମାଙ୍କ ହତ୍ୟାକାରୀ ନା ଜେଜେବାପା ଭଳି ।
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଘଟଣାର ପରଦିନ ଅର୍ଥାତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କ ମୃତ୍ୟୁ ଘଟିଥିଲା । ଆଉ ଗୁରୁବାର ବିଳମ୍ବିତ ରାତିରେ ପୁଅ ଦୀନବନ୍ଧୁଙ୍କ ଜୀବନ ଦୀପ ଲିଭିଗଲା ।