ଚିଟଫଣ୍ଡ କମିସନରେ ଖର୍ଚ୍ଚ ହେଲାଣି ସାଢ଼େ ୫ କୋଟି : ଗୃହ ରାଷ୍ଟ୍ରମନ୍ତ୍ରୀ

ଚିଟଫଣ୍ଡ କମିସନରେ ଖର୍ଚ୍ଚ ହେଲାଣି ସାଢ଼େ ୫ କୋଟି : ଗୃହ ରାଷ୍ଟ୍ରମନ୍ତ୍ରୀ

ଚିଟଫଣ୍ଡ କମିସନରେ ଖର୍ଚ୍ଚ ହେଲାଣି ସାଢ଼େ ୫ କୋଟି : ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର : ଚିଟଫଣ୍ଡ ତଦନ୍ତ କମିସନଙ୍କ ଚୂଡାନ୍ତ ରିପୋର୍ଟ ଏ ଯାଏଁ ଆସିନି । ଜମାକାରୀ କେବେ ନ୍ୟାୟ ପାଇବେ, ତାହାର ଉତ୍ତର କାହା ପାଖରେ ନାହିଁ । କିନ୍ତୁ ତଦନ୍ତ କମିଶନ ପାଇଁ ଖର୍ଚ୍ଚ ହୋଇସାରିଲାଣି ୫ କୋଟି ୫୫ ଲକ୍ଷ ଟଙ୍କା । କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ପର୍ଯ୍ୟାୟରେ ବଢ଼ି ୭୩ ମାସ ହେଲାଣି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ତଥ୍ୟ ଦେଇଛନ୍ତି । ଚିଟ୍ଫଣ୍ଡ ତଦନ୍ତ କମିସନ ୭ଟି ଅନ୍ତରୀଣ ରିପୋର୍ଟ ଦେଇଥିଲେ ବି ୬ଟି ରିପୋର୍ଟକୁ ସରକାର ତର୍ଜମା କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସରକାର ତଦନ୍ତ କମିସନ ବସାଇଥିଲେ । କମିସନ ରିପୋର୍ଟ ଦେଇଥିଲେ ବି ସରକାର ତାହାକୁ ବିଧାନସଭାରେ ଉପସ୍ଥାପନ କରି ନାହାନ୍ତି । ଚାବି କୁଆଡେ ଗଲା ଓ କିଏ ରଖିଲା ସେ ସମ୍ପର୍କରେ ସାଧାରଣ ଜନତା ଅନ୍ଧାରରେ କିନ୍ତୁ ଏହି ଘଟଣାର ତଦନ୍ତ ପାଇଁ ସରକାର ୨୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଏହି ତଦନ୍ତ କମିସନଙ୍କ କାର୍ଯ୍ୟକାଳ ୩ ମାସ ଥିଲା ବେଳେ ପରବର୍ତ୍ତୀ ସମୟରେ ଆଉ ତିନି ମାସ ବୃଦ୍ଧି କରାଯାଇଥିଲା । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ସରକାର ୯ଟି ବହୁ ଚର୍ଚ୍ଚିତ ଘଟଣା ତସନ୍ତ ପାଇଁ ବିଭାଗୀୟ ତଦନ୍ତ କମିସନ ଗଠନ କରିଛନ୍ତି । ତାହା ମଧ୍ୟରୁ ୮ଟିର ଚୂଡ଼ାନ୍ତ ରିପୋର୍ଟ ଆସିଥିଲେ ବି ଗୃହରେ ୪ଟି ଉପସ୍ଥାପନ ହୋଇନି । ଗୃହରେ ଉପସ୍ଥାପନ ହୋଇ ନଥିବା ରିପୋର୍ଟ ମଧ୍ୟରେ ଅଛି ଗୁମୁଡୁମାହରେ ପୁଲିସ ଗୁଳିକାଣ୍ଡ, ସମ ହସ୍ପିଟାଏ ଅଗ୍ନିକାଣ୍ଡ, କୋରାପୁଟରେ ନାବାଳିକା ଅପହରଣ ଓ ଦୁଷ୍କର୍ମ ଏବଂ ରତ୍ନଭଣ୍ଡାର ଚାବି ହଜିବା । ସରକାର ଏହି ରିପୋର୍ଟ ପାଇ ତାହାର ଅନୁଧ୍ୟାନ କରୁଛନ୍ତି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି ।