ଚିଦମ୍ବରମଙ୍କ ଘରେ ସିବିଆଇ, ଇଡି

ଚିଦମ୍ବରମଙ୍କ ଘରେ ସିବିଆଇ, ଇଡି

ଚିଦମ୍ବରମଙ୍କ ଘରେ ସିବିଆଇ, ଇଡି
ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା ନେଇ ଅଡୁଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ । ସେ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ଆଗୁଆ ଜମିନ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହେବା ପରେ ଆଜି ସଂଧ୍ୟାରେ ତାଙ୍କ ବାସଭବନରେ ପହଞ୍ଚିଥିଲେ ସିବିଆଇ ଓ ଇଡି (ପୂର୍ବତନ ନିର୍ଦ୍ଦେଶାଳୟ) ର ଅଧିକାରୀମାନେ । କିନ୍ତୁ ଚିଦାମ୍ବରମଙ୍କୁ ନ ପାଇ ଖାଲି ହାତରେ ଫେରିଥିଲେ । ତେବେ ତାଙ୍କ ଘର ସାମନାରେ ଏକ ନୋଟିସ ଲଗାଇଛି ସିବିଆଇ । ଏହି ନୋଟିସ ପାଇବାର ୨ ଘଣ୍ଟା ଭିତରେ ହାଜର ହେବା ଲାଗି ଏଥିରେ ଚିଦାମ୍ବରମଙ୍କୁ କୁହାଯାଇଛି । ଖବର ମିଳିଛି ଯେ ହାଇକୋର୍ଟରୁ ନିରାଶ ହେବା ପରେ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଚିଦାମ୍ବରମ । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଉଭୟ ସିବିଆଇ ଏବଂ ଇଡ଼ି ତଦନ୍ତ ଜାରି ରଖିଥିବା ବେଳେ ଚିଦାମ୍ବରମ ଗିରଫରୁ ବର୍ତ୍ତିବା ପାଇଁ ପୃଥକ ଭାବେ ଦିଲ୍ଲୀ ହାଇକୋର୍ଟରେ ଦୁଇଟି ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଚିଦାମ୍ବରମଙ୍କର ଦୁଇଟି ଯାକ ଆବେଦନ ଖାରଜ ହୋଇଯାଇଛି ବୋଲି ଦିଲ୍ଲୀ ହାଇକୋର୍ଟ ବିଚାରପତି ସୁନୀଲ ଗୌର କହିଛନ୍ତି । ତେବେ କୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କ ଆଇନଜୀବୀ ଦୟାନ କ୍ରୀଷ୍ଟନ କୋର୍ଟଙ୍କୁ କହିଥିଲେ, ଏହି ରାୟ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଉପରେ ୩ ଦିନ ପର୍ଯ୍ୟନ୍ତ ରହିତାଦେଶ ଲଗାଯାଉ । କିନ୍ତୁ କୋର୍ଟ ଏ ନେଇ ବିଚାର କରିବେ ବୋଲି କହିଛନ୍ତି । ପିଟିସନ ଖାରଜ ହେବା ସମୟରେ ବିଚାରପତି କହିଥିଲେ ଯେ ଯାହା ଜଣାପଡ଼ୁଛି ଏହି ମାମଲାରେ ଚିଦାମ୍ବରମ ହେଉଛନ୍ତି ମୁଖ୍ୟ ଷଡଯନ୍ତ୍ରକାରୀ । ତାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି । ତେଣୁ ତାଙ୍କୁ ଆଗୁଆ ଜାମିନ ଦିଆଯାଇପାରିବ ନାହିଁ ।