ଟିମ୍‌ ଇଣ୍ଡିଆ ଅଭ୍ୟାସ ସେସନ୍‌ରେ ଯୋଗଦେଲେ ଧୋନି

ଟିମ୍‌ ଇଣ୍ଡିଆ ଅଭ୍ୟାସ ସେସନ୍‌ରେ ଯୋଗଦେଲେ ଧୋନି

ଟିମ୍‌ ଇଣ୍ଡିଆ ଅଭ୍ୟାସ ସେସନ୍‌ରେ ଯୋଗଦେଲେ ଧୋନି

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତ ତାର ପ୍ରଥମ ମ୍ୟାଚ୍‌ରେ ୨୪ ତାରିଖରେ ପାକସ୍ତାନକୁ ଭେଟିବ। ଏହି ହାଇ ଭୋଲ୍‌ଟେଜ୍‌ ମ୍ୟାଜ୍‌ ପୂର୍ବରୁ ପ୍ରସ୍ତୁତିକୁ ଜୋରଦାର କରିଛି ଭାରତ। ଏହା ପୂର୍ବରୁ ସୋମବାର  ପ୍ରଥମ ଅଭ୍ୟାସ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ। ଏହା ପୂର୍ବରୁ ଟିମ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଚଳିତ ଟି-୨୦ ବିଶ୍ୱକପରେ ଧୋନି ଟିମ ଇଣ୍ଡିଆର ମାର୍ଗଦର୍ଶକ ଭାବେ କାର୍ୟ୍ୟ କରିବେ।

ଆଇପିଏଲ ଶେଷ ହେବା ମାତ୍ରେ ଧୋନି ଗତକାଲି ଟିମ ଇଣ୍ଡିଆର ଅଭ୍ୟାସ ସେସନରେ ଯୋଗ ଦେଇଛନ୍ତି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଧୋନି ଟିମ ଇଣ୍ଡିଆର କୋଚିଂ ଷ୍ଟାଫଙ୍କ ସହ ଆଲୋଚନା କରୁଛନ୍ତି। ଏଥିସହ ବ୍ୟାଟିଂ ଷ୍ଟାଇଲ ସେମାନଙ୍କୁ ପ୍ରଦର୍ଶନ କରୁଛନ୍ତି।

ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆରେ ଧୋନି ଯୋଗ ଦେବାର ଫଟୋ ଟ୍ବିଟ୍‌ କରାଯାଇଛି। ଏଥିରେ ବିସିସିଆଇ ପକ୍ଷରୁ ଲେଖାଯାଇଛି ଯେ କିଙ୍ଗ ଏମଏସ୍ ଧୋନି ଟିମ ଇଣ୍ଡିଆକୁ କମବ୍ୟାକ୍ କରିଥିବାରୁ ତାଙ୍କୁ ସ୍ୱାଗତ। ସେ ନୂଆ ଭୂମିକାରେ ଦଳ ସହ ଯୋଗଦେଇଛନ୍ତି। ତାଙ୍କୁ ନେଇ ଆମେ ବେଶ ଉତ୍ସାହିତ ବୋଲି ବିସିସିଆଇ କହିଛି।


ଟିମ ଇଣ୍ଡିଆ ସହ ଧୋନି ଯୋଗଦେଇଥିବାରୁ ଏହା ଦଳକୁ ଟି-୨୦ ବିଶ୍ୱକପରେ ଅଧିକ ଫାଇଦା ଦେବ ବୋଲି ନିଜେ ଅଧିନାୟକ ବିରାଟ କୋହଲି କହିଛନ୍ତି। ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ମଧ୍ୟ ଧୋନିଙ୍କୁ ମେଣ୍ଟୋର ଭାବେ ପାଇ ବେଶ ଉତ୍ସାହିତ ରହିଛନ୍ତି

ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଅକ୍ଟୋବର ୩୧ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଦୁବାଇରେ ଭେଟିବ। ଏହା ପରେ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବ। ସେହିପରି ଭାରତ ତା’ର ଚତୁର୍ଥ ମ୍ୟାଚ୍ ନଭେମ୍ବର ୫ ତାରିଖରେ ଗ୍ରୁପ୍-ବି’ର ଶୀର୍ଷ ଟିମ୍ ଏବଂ ନଭେମ୍ବର ୮ ତାରିଖରେ ଗ୍ରୁପ୍-ଏ’ର ରନର୍ସଅପ୍ ଟିମ୍ ବିପକ୍ଷରେ ଖେଳିବ। ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ ବୋଲି ଧାର୍ୟ୍ୟ ହୋଇଛି।

ସୂଚନାଯୋଗ୍ୟ, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ଯାଏ ଓମାନ୍ ଓ ୟୁଏଇରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ କ୍ୱାଲିଫାଇଙ୍ଗ୍ ଇଭେଣ୍ଟ ହେବ, ଯେଉଁଥିରେ ୮ଟି ଟିମ୍ ରାଉଣ୍ଡ-୧୨କୁ କ୍ୱାଲିଫାଏ କରିବା ଲାଗି ଖେଳିବେ। ପ୍ରଥମ ରାଉଣ୍ଡରୁ ୪ଟି ଟିମ୍ ରାଉଣ୍ଡ-୧୨ରେ ଯୋଗ ଦେବେ।

ଟି-୨୦ ବିଶ୍ୱକପର ଆୟୋଜନ ଭାରତରେ ହେବାକୁ ଥିଲା, କିନ୍ତୁ ଦେଶରେ କରୋନା ମାମଲା ବଢ଼ୁଥିବାର ଦେଖିବା ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା।