ଢେଙ୍କାନାଳ : କୁଆଡେ ଯିବେ ନବୀନ ନନ୍ଦ
ଢେଙ୍କାନାଳ : କୁଆଡେ ଯିବେ ନବୀନ ନନ୍ଦ
admin
Mar 15, 2019 - 06:17
Updated: Mar 15, 2019 - 06:17
ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସିଲାଣି । ହେଲେ ଏଯାଏଁ ଢେଙ୍କାନାଳର ଟାଣୁଆ ନେତା ନବୀନ ନନ୍ଦ ନିଜର ପରବର୍ତୀ ରାଜନୀତିକ ପଦକ୍ଷେପ ନେଇପାରୁନାହାନ୍ତି । ୨୦୧୯ରେ ସ୍ୱାଧୀନ ଭାବେ ଲଢ଼ିବେ ନା ବିଜେପି କି କଂଗ୍ରେସକୁ ଯିବେ ତାହା ସ୍ଥିର କରିପାରୁନାହାନ୍ତି ।
୧୯୯୦ରୁ ଏଯାବତ ଢେଙ୍କାନାଳରେ କୌଣସି ନେତା ଦ୍ୱିତୀୟ ଥର ପାଇଁ ବିଜୟ ଲାଭ କରିବାରେ ସମର୍ଥ ହୋଇପାରିନାହାନ୍ତି । ଏକଦା ଢେଙ୍କାନାଳ ଆସନଟି ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଗଡ଼ ଥିଲା । ୧୯୭୭ରୁ ୧୯୯୦ ପର୍ଯ୍ୟନ୍ତ ଢେଙ୍କାନାଳର ନେତୃତ୍ୱ ନେଉଥିଲେ ନନ୍ଦିନୀ । ତେବେ ୧୯୯୦ରେ ତଥାଗତ ଶତପଥୀ ଜନତା ଦଳର ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିଲେ । କିନ୍ତୁ ୧୯୯୫ରେ ଏହି ଆସନଟି କଂଗ୍ରେସ ନେତା ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ହାତକୁ ଚାଲିଯାଇଥିଲା । ୨୦୦୦ରେ ଏଠାରୁ ମେଂଟ ପ୍ରାର୍ଥୀ ତଥା ବିଜେପି ନେତା କୃଷ୍ଣଚନ୍ଦ୍ର ପାତ୍ର ବାଜିମାତ କରିଥିବାବେଳେ ୨୦୦୪ରେ କଂଗ୍ରେସ ନେତା ସୁଧିର କୁମାର ସାମଲ ବିଜୟୀ ହୋଇଥିଲେ । ଅପରପକ୍ଷରେ ୨୦୦୯ରେ ବିଜେଡ଼ି ସହ ମେଂଟ କରିଥିବାରୁ ଏନସିପି ପ୍ରାର୍ଥୀ ନବୀନ ନନ୍ଦ ବାଜିମାତ କରିପାରିଥିଲେ । କିନ୍ତୁ ୨୦୧୪ରେ ନବୀନ ନନ୍ଦ ବିଜେଡ଼ି ଟିକେଟରୁ ବଂଚିତ ହୋଇଥିଲେ । ସରୋଜ ସାମଲ ବିଜେଡ଼ି ଟିକେଟ ପାଇ ବିଜୟ ଲାଭ କରିଥିଲେ ।
୨୦୧୪ରେ ନବୀନ ନନ୍ଦଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରିବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ତେବେ ପ୍ରତିଶ୍ରୁତି ପାଳନ ନହେବାରୁ ନବୀନ ନନ୍ଦ ବିଜେଡ଼ି ବିରୋଧୀ ଆଭିମୁଖ୍ୟ ପୋଷଣ କରିବା ସହ ଧିରେଧିରେ ଦୂରେଇ ଯାଇଥିଲେ । ପରବର୍ତୀ ସମୟରେ ସେ ବିଦ୍ରୋହୀ ବିଜେଡ଼ି ନେତା ବୈଜୟନ୍ତ ପଣ୍ଡାଙ୍କ ସହ ନିଘନ ସମ୍ପର୍କ ରଖିଥିଲେ । ବୈଜୟନ୍ତ ବିଜେଡ଼ି ଦଳ ଛାଡ଼ିବା ପରେ ନବୀନ ନନ୍ଦ କ’ଣ କରିବେ ସେନେଇ ଚର୍ଚ୍ଚା ହୋଇଥିଲା । ପ୍ରଥମେ ବୈଜୟନ୍ତ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେବାରୁ ନବୀନ ବି ସମାନ ରାସ୍ତାରେ ଯିବେବୋଲି କୁହାଯାଉଥିଲା । କିନ୍ତୁ ବିଜେପି ସହ ବୈଜୟନ୍ତଙ୍କ ଡିଲ ଚୂଡ଼ାନ୍ତ ନହେବାରୁ ନୂତନ ଆଂଚଳିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଫଳରେ ସ୍ୱାଧୀନ ଭାବେ ନବୀନ ନନ୍ଦ ସଂଗଠନ ଜାରି ରଖିଥିଲେ । ଅପରପକ୍ଷରେ ବୈଜୟନ୍ତଙ୍କୁ ନିଜ ଦଳକୁ ନେବା ପାଇଁ କଂଗ୍ରେସ ବି ଉଦ୍ୟମ ଆରମ୍ଭ କରିଥିଲା । ଏପରିକି ବୈଜୟନ୍ତଙ୍କ ସମର୍ଥକଙ୍କୁ କଂଗ୍ରେସ ଟିକେଟ ମିଳିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଚର୍ଚ୍ଚା ଜୋର ଧରିଥିଲା । ଏହି ଅବକାଶରେ ନବୀନଙ୍କ ସମର୍ଥକମାନେ ତାଙ୍କୁ କଂଗ୍ରେସକୁ ଯିବା ପାଇଁ ପ୍ରରୋଚିତ କରିଥିଲେ । ତେବେ ତରବରିଆ ଭାବେ କୌଣସି ନିଷ୍ପତି ନେଇନଥିଲେ ଶ୍ରୀ ନନ୍ଦ । କଂଗ୍ରେସର ଟାଣୁଆ ନେତା ସୁଧିର ସାମଲ କଂଗ୍ରେସ ଛାଡ଼ି ବିଜେଡ଼ିକୁ ଯିବା ପରେ ବସ୍ତୁତଃ କଂଗ୍ରେସ ଦୁର୍ବଳ ହୋଇଯାଇଥିଲା । କିନ୍ତୁ ଢେଙ୍କାନାଳରେ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସିଦେ୍ଧଶ୍ୱରୀ ପ୍ରସାଦ ମିଶ୍ର ୩୦ ହଜାର ଭୋଟ ପାଇଥିଲେ । ତେଣୁ ନିଜ ଭୋଟ ସହ କଂଗ୍ରେସ ଭୋଟ ହାତେଇ ନବୀନ ନନ୍ଦଙ୍କ ସମର୍ଥକମାନେ ବିଜୟର ସମ୍ଭାବନା ନେଇ ଅଙ୍କ କଷିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ନବୀନ ନନ୍ଦଙ୍କୁ ଯୋଗାଯୋଗ କରାଯାଇଥିଲା ।
ଏଭଳି ଚର୍ଚ୍ଚା ଢେଙ୍କାନାଳ ରାଜନୀତିରେ ଜୋର ଧରିଥିବାବେଳେ ହଠାତ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ବୈଜୟନ୍ତ ଟିକେଟ ବଂଟନ ପ୍ରକ୍ରିୟାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବେ । ତାଙ୍କର ଅନୁଗତ, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ମଧ୍ୟ ସେ ବିଜେପିରେ ସାମିଲ କରାଇବେ ବୋଲି ଜାଣିବାକୁ ମିଳିଛି । ଫଳରେ ନବୀନ ନନ୍ଦ କଂଗ୍ରେସ ନୁହେଁ ବରଂ ବୈଜୟନ୍ତଙ୍କ ନେତୃତ୍ୱରେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯାହାଫଳରେ ନିଶ୍ଚିତ ଟିକେଟ ପାଇବେ ବୋଲି ଆଶା ବାନ୍ଧି ବସିଥିବା କୃଷ୍ଣଚନ୍ଦ୍ର ପାତ୍ରଙ୍କ ଶିବିର ଚିନ୍ତିତ ହୋଇପଡ଼ିଛି । ଗତ ନିର୍ବାଚନରେ କୃଷ୍ଣ ଚନ୍ଦ୍ର ପାତ୍ର ମାତ୍ର ୭ ହଜାର ଭୋଟରେ ପରାସ୍ତ ହୋଇଥିବାରୁ ଏଥର ବିଜୟ ପାଇଁ ଆଶା ବାନ୍ଧି ବସିଥିଲେ । ତିନୋଟି ନିର୍ବାଚନରେ ଶ୍ରୀ ପାତ୍ର ପରାସ୍ତ ହୋଇଥିବାବେଳେ ଗତ ନିର୍ବାଚନରେ ନବୀନ ନନ୍ଦଙ୍କ ସମର୍ଥକମାନେ ତାଙ୍କୁ ସମର୍ଥନ କରିଥିଲେ । ୨୦୧୪ରେ ନବୀନ ନନ୍ଦଙ୍କ କର୍ମୀମାନେ ତଥାଗତ ଶତପଥୀଙ୍କ ପାଇଁ କାମ କରିବା ସହ ସରୋଜ ସାମଲଙ୍କୁ ହରାଇବା ପାଇଁ ବି ଲାଗିଥିଲେ । ଯେଉଁଥିପାଇଁ ଶ୍ରୀ ପାତ୍ର ଏତେ ଭୋଟ ପାଇବାରେ ସକ୍ଷମ ହୋଇଥିଲେ । ଏବେ ନବୀନଙ୍କର ପ୍ରାୟ ୩୦ ହଜାର ପକେଟ ଭୋଟ ରହିଛି । ଯଦି ସେ ବିଜେପି ଟିକେଟ ପାଆନ୍ତି ତେବେ ବିଜୟ ଲାଭ କରିପାରିବେ ବୋଲି ଚର୍ଚ୍ଚା ଚାଲିଛି । ସେହିପରି ନବୀନ ନନ୍ଦଙ୍କ ସମର୍ଥକ ତଥାଗତଙ୍କୁ ବି ସମର୍ଥନ କରି ଆସୁଥିଲେ । ତଥାଗତ ଏବେ ବିଜେଡ଼ି ରାଜନୀତିରୁ ଅବ୍ୟାହତି ନେଇଥିଲେ ମଧ୍ୟ ନବୀନ ନନ୍ଦଙ୍କ ପ୍ରତି ସମର୍ଥନ ରହିବ । ଅପରପକ୍ଷରେ ବୈଜୟନ୍ତ ପଣ୍ଡା ମଧ୍ୟ ନିର୍ବାଚନୀ ଖର୍ଚ୍ଚ ପ୍ରଦାନ କରିବା ସହ ତାଙ୍କର ଲୋକସମ୍ପର୍କ ନବୀନ ନନ୍ଦଙ୍କ ବିଜୟରେ ସହାୟକ ହୋଇପାରିବ । ଏଭଳି ଚର୍ଚ୍ଚା ଭିତରେ ନବୀନ ନନ୍ଦ କେଉଁ ଦଳକୁ ମୁହାଁଉଛନ୍ତି ତଦନୁଯାୟୀ ଢେଙ୍କାନାଳ ରାଜନୀତିକ ସମୀକରଣ ସ୍ଥିର ହେବ । ଅନ୍ୟ ଏକ ସୂତ୍ର ଅନୁଯାୟୀ, ଯେଉଁ ଦଳ ତାଙ୍କୁ ଟିକେଟ ଦେବ ସେହି ଦଳରେ ନବୀନ ଯୋଗଦେବେବୋଲି ଜାଣିବାକୁ ମିଳିଛି ।