ନୀତି ଆୟୋଗଙ୍କ ପୁରୀ ଜିଲ୍ଲା ଗସ୍ତ ଓ ବିଭିନ୍ନ ବିଭାଗର ସମୀକ୍ଷା ବୈଠକ

ଇକୋନୋମୀ କରିଡର ଲକ୍ଷ୍ୟରେ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟଟନ ସ୍ଥଳକୁ ନେଇ ସଫାରୀ ସର୍କିଟର ବ୍ୟବସ୍ଥା ଓ ପର୍ଯ୍ୟଟନ ଜୋନ ବ୍ୟବସ୍ଥା ପାଇଁ ମତ ଦେଇଛନ୍ତି ନୀତି ଆୟୋଗ। ଏହି ସର୍କିଟରେ କଟକ, ଖୋର୍ଦ୍ଧା, ପୁରୀ ଓ ପାରାଦୀପକୁ ସାମିଲ କରାଯିବାର ଚିନ୍ତା କରାଯାଉଛି। ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସିଟି ଆଜ୍ ଗ୍ରୋଥ ହବ ବା ସହରାଞ୍ଚଳର ବିକାଶ ସମ୍ପର୍କରେ ନୀତି ଆୟୋଗର ପ୍ରତିନିଧିମଣ୍ଡଳ ପୁରୀଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ।ଏଥିରେ ଅଧ୍ୟକ୍ଷତା କରି ଆୟୋଗର ପ୍ରମୁଖ ଅର୍ଥ ପରାମର୍ଶଦାତା ଓ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମିସ ଅନା ରଏ ବିଭିନ୍ନ ବିଭାଗର ଯୋଜନା ଗୁଡିକ ମଧ୍ୟରେ ବିଶେଷତ୍ୱ କ'ଣ ରହିଛି ଓ କେଉଁ କେଉଁ କ୍ଷେତ୍ରରେ ଅଧିକ ଫୋକସ କରାଯାଇ ପାରିବ,ତାହାର କିପରି ବଜାର ବ୍ୟବସ୍ଥା କରାଯାଇପାରିବ, ବ୍ୟକ୍ତି ବା ଗୋଷ୍ଠୀଙ୍କୁ ସାମିଲ କରାଯାଇ ପାରିବ, ଲୋକ ଙ୍କୁ ଜୀବିକା ଯୋଗାଇ ଦିଆଯାଇ ପାରିବ ବୋଲି ଜିଜ୍ଞାସା କରିଥିଲେ। ଯାହା ଫଳରେ ନୀତି ଆୟୋଗ ସେ ସମ୍ପର୍କରେ ଅନୁଧ୍ୟାନ ସହ ଆର୍ଥିକ ସହାୟତା, ବୈଷୟିକ ପରାମର୍ଶ ଓ ବିବିଧ ସହଯୋଗ ଯୋଗାଇବାରେ ସକ୍ଷମ ହୋଇ ପାରିବ ବୋଲି ସେ କହିଥିଲେ।ଉଦ୍ୟାନ କୃଷି,ଛତୁ ଚାଷ,ଫୁଲ ଚାଷ,କୁକୁଡ଼ା ଚାଷ,ମତ୍ସ୍ୟ ଚାଷ, ପର୍ଯ୍ୟଟନ ଇତ୍ୟାଦି ଗୁଡିକରେ ଅଧିକ ଦୃଷ୍ଟି ଦିଆଯାଇ ପାରିବ ବୋଲି ଶ୍ରୀମତୀ ରଏ ସୂଚନା ଦେଇଥିଲେ। ନୀତି ଆୟୋଗ ଓ ଜିଲ୍ଲା ପ୍ରଶାସନର ବିସ୍ତୃତ ଅନୁଧ୍ୟାନ ଓ ଆଲୋଚନା ପରେ ପ୍ରସ୍ତାବ ଚୁଡାନ୍ତ କରାଯିବ ବୋଲି ସେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲ୍ଲାର ସ୍ଥିତି, ବିଭିନ୍ନ ଯୋଜନାର ରୂପରେଖ, ସଫଳତା, ଆବଶ୍ୟକତା ଓ ନୂତନ ସମ୍ଭାବନା ଉପସ୍ଥାପନ କରିଥିଲେ। ୩୪୭୯ ବର୍ଗ କିଲୋମିଟର ପରିମିତ ପୁରୀ ଜିଲ୍ଲାର ଲୋକ ସଂଖ୍ୟା ୧୬ ଲକ୍ଷ ୯୮ ହଜାର ୭୩୯ । ଜିଲ୍ଲାରେ ଗୋଟିଏ ସବଡିଭିଜନ,୧୧ ଟି ଲେଖାଏଁ ବ୍ଲକ ଓ ତହସିଲ,୧୨୨ ଗୋଟି ରାଜସ୍ୱ ସର୍କଲ, ଗୋଟିଏ ମୁନିସିପାଲ୍ଟି,୩ ଟି ଏନ ଏ ସି,୨୬୮ ଗ୍ରାମ ପଞ୍ଚାୟତ, ୧୭୭୨ ରାଜସ୍ୱ ଗ୍ରାମ ଓ ୩୦ ଟି ପୋଲିସ ଷ୍ଟେସନ ରହିଛି। ଜିଲ୍ଲାରେ ୧ ଲକ୍ଷ ୮୮ ହଜାର ୧୮୩ ହେକ୍ଟର ଚାଷ ଜମି ରହିଥିବା ବେଳେ ୧ ଲକ୍ଷ ୦୪ ହଜାର ୭୪୧ ଜଳସେଚିତ ଓ ୧୪ ହଜାର ୨୨୫ ହେକ୍ଟର ଜଙ୍ଗଲ ଜମି ରହିଛି। ଜିଲ୍ଲାରେ ମୁଖ୍ୟତଃ ଧାନ,ବିରି,ମୁଗ,ଆଖୁ ଚିନାବାଦାମ ଇତ୍ୟାଦି ଚାଷ ହୋଇଥାଏ ବୋଲି ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ପାୱାର ପ୍ରେଜେଣ୍ଟସନରେ ସୂଚନା ଦେଇଥିଲେ। ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।