ନାରୁଆଙ୍କ ନାଁରେ ଟାଉନ୍ ଥାନାରେ ମାମଲା
ନାରୁଆଙ୍କ ନାଁରେ ଟାଉନ୍ ଥାନାରେ ମାମଲା
admin
Sep 29, 2019 - 10:12
Updated: Sep 29, 2019 - 10:12
ପୁରୀ : ବିହାରୀ ନେତାଙ୍କ ଷ୍ଟାଇଲରେ ମଞ୍ଚ ଉପରେ ନୃତ୍ୟର ତାଳେ ତାଳେ ଗୁଳିଚାଳନା କରିବା ନାରୁଆ ଓରଫ ନାରାୟଣ ସାହୁଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ପୁରୀ ପୁଲିସ । ଗତକାଲି ନାରୁଆଙ୍କୁ ଘନ ଘନ ଜେରା କରିବା ସହ ତାଙ୍କର ତିନି ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ପୁଲିସ ଆଜି ଏହି ଘଟଣାରେ ନାରୁଆଙ୍କ ନାଁରେ ଟାଉନ ଥାନାରେ ଏକ ମାମଲା ରୁଜୁ କରିଛି । ଏହାଛଡ଼ା ଚନ୍ଦନପୁର ଥାନା ପୁଲିସ ନାରୁଆଙ୍କ ତିନି ସୁରକ୍ଷାକର୍ମୀଙ୍କ କାର୍ ଓ ବାଇକ୍ ଆଦିକୁ ଜବତ କରିଛି ।
ଅନ୍ୟପଟେ ଗତକାଲିଠାରୁ ଜେରା ଚାଲିଥିବା ତିନି ସୁରକ୍ଷାକର୍ମୀଙ୍କ ନାଁରେ ପୂର୍ବରୁ ଏକାଧିକ ସଙ୍ଗୀନ ମାମଲା ବିଭିନ୍ନ ଥାନାରେ ରହିଥିବା ଜଣାପଡ଼ିଛି । ଗତକାଲି ଏହି ତିନି ସୁରକ୍ଷାକର୍ମୀଙ୍କୁ ପୁଲିସ ଭିନ୍ନ ଭିନ୍ନ ସ୍ଥାନରୁ ଧରି ଥାନାରେ ଜେରା କରିଥିଲା । ଦୁଇ ସୁରକ୍ଷାକର୍ମୀଙ୍କୁ ଭାଇଲିପୁର ଛକରୁ ଓ ଅନ୍ୟ ଜଣକୁ ମାଳତୀପାଟପୁର ଛକରୁ ଧରି ପୁଲିସ ଥାନାକୁ ଆଣିଥିଲା । ଏଥିପାଇଁ ପୁଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ତିନି ସୁରକ୍ଷାକର୍ମୀଙ୍କଠାରୁ ଦୁଇ ପିସ୍ତଲ ବି ଜବତ କରାଯାଇଥିଲା । ସେମାନଙ୍କ ଭିତରୁ ଜଣେ ଖଣ୍ଡିଘରର ପପୁ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଦୁଇଜଣ ଉତ୍ତର ପ୍ରଦେଶର ବକୁର କୁମାର ଓ ଦେବେନ୍ଦ୍ର କୁମାର ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ଏକ ମାସ ତଳେ ପୁରୀ ତେଲିସାହିଠାରେ ଥିବା ଏକ କଲ୍ୟାଣ ମଣ୍ଡପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ମଞ୍ଚ ଉପରେ ନାରୁଆ ଓ ତାଙ୍କ ତିନି ସୁରକ୍ଷାକର୍ମୀ ବିହାରୀ ଷ୍ଟାଇଲରେ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିବା ସହ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା ।