ନିକଟ ଭବିଷ୍ୟତରେ ଭାରତରେ କ୍ରିକେଟ ହେବା ସମ୍ଭାବନା ନାହିଁ: ଗାଙ୍ଗୁଲି

ନିକଟ ଭବିଷ୍ୟତରେ ଭାରତରେ କ୍ରିକେଟ ହେବା ସମ୍ଭାବନା ନାହିଁ: ଗାଙ୍ଗୁଲି

ନିକଟ ଭବିଷ୍ୟତରେ ଭାରତରେ କ୍ରିକେଟ ହେବା ସମ୍ଭାବନା ନାହିଁ: ଗାଙ୍ଗୁଲି
ମୁମ୍ବାଇ: ଜର୍ମାନୀ ଓ ଭାରତ ସମାନ ନୁହନ୍ତି । ଦୁଇ ଦେଶର ସାମାଜିକ ଚଳଣୀ ଅଲଗା । ୟୁରୋପୀୟ ଦେଶ ଗୁଡ଼ିକରେ ଖାଲି ଷ୍ଟାଡିୟମରେ ପ୍ରତିଯୋଗିତା ଆୟୋଜିତ ହେବାରେ କିଛି ଅସୁବିଧା ନାହିଁ । କିନ୍ତୁ ଭାରତରେ ଏହା ସମ୍ଭବ ନୁହେଁ । ଭାରତରେ ନିକଟ ଭବିଷ୍ୟତରେ କୌଣସି କ୍ରିକେଟ ପ୍ରତିଯୋଗିତା ଆୟୋଜନ ହେବାର ସମ୍ଭାବନା ବି ନାହିଁ । ଆମର ମୁଖ୍ୟ ଲକ୍ଷ୍ୟ ହେଲା ସମସ୍ତେ ସୁସ୍ଥ ରୁହନ୍ତୁ । ଖେଳାଳି, ପ୍ରଶିକ୍ଷକ, ଅଧିକାରୀ ଓ ପ୍ରଶଂସକଙ୍କ ସ୍ୱାସ୍ଥ୍ୟକୁ ନେଇ ଆମେ ଖେଳିପାରିବୁନି । ଆସନ୍ତୁ କିଛି ମାସ ମଧ୍ୟରେ ଆଇପିଏଲ ଅନ୍ୟ କୌଣସି ଦେଶରେ ଆୟୋଜିତ ହେବାର ଆଶା ମଧ୍ୟ କମ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକଥା କହିଛନ୍ତି । ଜର୍ମାନୀର ବୁନ୍ଦେସଲିଗା ଫୁଟବଲ ପ୍ରତିଯୋଗିତା ବିନା ଦର୍ଶକରେ ମେ ମାସରୁ ଆରମ୍ଭ ହେବ ବୋଲି ଖବର ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଗାଙ୍ଗୁଲି ଏଭଳି କହିଛନ୍ତି । ତା ସହ କରୋନା ଜନିତ ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଖାଲି ଷ୍ଟାଡିୟମରେ ଆଇପିଏଲ କିମ୍ବା ଅନ୍ୟ କୌଣସି ପ୍ରତିଯୋଗିତା ଆୟୋଜନ ନେଇ ସୃଷ୍ଟି ହୋଇଥିବା କଳ୍ପନା ଜଳ୍ପନାରେ ଅବସାନ ଘଟିଛି । ଗାଙ୍ଗୁଲିଙ୍କ ପୁରୁଣା ସାଥୀ ହରଭଜନ ସିଂହ କହିଛନ୍ତି ଯେ ଭାରତୀୟ ପ୍ରଶଂସକ କେବଳ ଷ୍ଟାଡିୟମରେ ଉପସ୍ଥିତ ରୁହନ୍ତିନି । ଆଇପିଏଲ ଦଳର ଗସ୍ତ ବେଳେ ସେମାନେ ଷ୍ଟାଡିୟମ ବାହାରେ, ବିମାନ ବନ୍ଦର ଓ ହୋଟେଲ ନିକଟରେ ଭିଡ଼ ଜମାଇଥାନ୍ତି । ସାମାଜିକ ଦୂରତା ଲାଗି ଯଦି ଖାଲି ଷ୍ଟାଡିୟମରେ ମ୍ୟାଚ ଆୟୋଜନ ହୁଏ ତେବେ ପ୍ରଶଂସକମାନଙ୍କୁ ଏସବୁ ସ୍ଥାନରେ ଅଟକାଇ ହେବନି । କରୋନା ଟିକା ନ ବାହାରିବା ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତା କଥା ଚିନ୍ତା ନ କରିବା ଭଲ ବୋଲି ହରଭଜନ କହିଛନ୍ତି । ଚେପକରେ ଅଭ୍ୟାସ ଚାଲୁଥିବା ବେଳେ ଭିଡ ଯେପରି ଥିଲା ତାହାକୁ ଦେଖିଲେ କେବେ ଖାଲି ଷ୍ଟାଡିୟମରେ ମ୍ୟାଚ କଥା ଚିନ୍ତା କରି ହେବନି । ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାରେ ପ୍ରଶଂସକଙ୍କୁ ଅଟକାଇ ପାରିବ । ହେଲେ ବାହାରେ ସେମାନଙ୍କୁ ନିୟନ୍ତ୍ରଣ କରିହେବନି । ମ୍ୟାଚ ନ ହେଲେ ଆର୍ଥିକ କ୍ଷତି ହେବା ନିଶ୍ଚିତ । କିନ୍ତୁ ଆମକୁ ଏବେ ବଞ୍ଚିବାକୁ ହେବ ବୋଲି ଚେନ୍ନାଇ ସୁପରକିଙ୍ଗସ ସିଇଓ କେଏସ ବିଶ୍ୱନାଥନ କହିଛନ୍ତି । ସେପଟେ ଟ୍ୱେଣ୍ଟି-୨୦ ବିଶ୍ୱ କପ ନେଇ ଆଇସିସି ନିୟମିତ ବିଶେଷଜ୍ଞ ଓ ହିତାଧିକାରୀଙ୍କ ସହ ଆଲୋଚନା ଓ ପର୍ଯ୍ୟାଲୋଚନା କରୁଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସୱାନୀ କହିଛନ୍ତି ।