ନିଜେ ଘରେ ତିଆର କରି ଖାଆନ୍ତୁ ଫିସ୍ ବିରିୟାନୀ
ନିଜେ ଘରେ ତିଆର କରି ଖାଆନ୍ତୁ ଫିସ୍ ବିରିୟାନୀ
admin
May 19, 2021 - 12:37
Updated: May 19, 2021 - 12:37
ସାମଗ୍ରୀ: କଟା ମାଛ-୧ କେଜି, କୋରାପିଆଜ-୧ କପ୍, ଅଦା ବଟା-୧ ଚାମଚ, ରସୁଣ ବଟା- ୧ ଚାମଚ, ଜିରା-୧ ଚାମଚ, ଗରମ ମସଲା-୧ ଚାମଚ, ହଳଦୀ ଗୁଣ୍ଡ - ୧ ଚାମଚ, ଧନିଆ ଗୁଣ୍ଡ-୧ ଚାମଚ, ଲଙ୍କାଗୁଣ୍ଡ-୧ ଚାମଚ, ଦହି-୧ କପ୍, କଟା ଧନିଆ ପତ୍ର-୧ କପ୍, କଟା କଞ୍ଚାଲଙ୍କା-୪ ରୁ ୫ଟା, ବିରିୟାନୀ ମସଲା-୧ ଚାମଚ, ବ୍ରାଉନ ପିଆଜ ଅଧାକପ, ଚାଉଳ-୨ କପ, ଲବଙ୍ଗ-୪ଟା, ଗୋଲମରିଚ-୪ଟା, ଡାଲଚିନି-୧ଟା, ଗୁଜୁରାତି-୪ଟା, କେଶର-୧ଟା, ଲୁଣ ପ୍ରୟୋଜନ ଅନୁସାରେ, ତେଲ ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା ପରେ ଗ୍ୟାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ ଜିରା ପକାଇ ଫୁଟାନ୍ତୁ । ଜିରା ଫୁଟିଗଲେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଆସିଲେ ଅଦା ଓ ରସୁଣ ବଟା ପକାଇ କଷି ଦିଅନ୍ତୁ । ମସଲା ଅଳ୍ପ କଷି ହୋଇଗଲେ ସେଥିରେ ଗରମ ମସଲା, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଦହି ଓ ଲୁଣ ପକାଇ ଘାଣ୍ଟନ୍ତୁ । ସେଥିରେ ମାଛ ପକାଇ ଅଳ୍ପ ପାଣି ଦେଇ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ । ମାଛ ଟିକିଏ ଭାଜି ହୋଇଗଲେ ବ୍ରାଉନ ପିଆଜ, ଧନିଆ ପତ୍ର, କଞ୍ଚାଲଙ୍କା ଓ ବିରିୟାନୀ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ମାଛ ଭଲ ଭାବେ ରାନ୍ଧି ହୋଇଗଲେ ଗ୍ୟାସରୁ କାଢ଼ି ଦିଅନ୍ତୁ । ତା ପରେ ଗ୍ୟାସରେ ଡିସ୍ ବସାଇ ସେଥିରେ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ ଲବଙ୍ଗ, ଗୋଲମରିଚ, ଡାଲଚିନି, ଗୁଜୁରାତି ପକାଇ ଫୁଟାନ୍ତୁ । ସେଥିରେ ଚାଉଳ, ଆବଶ୍ୟକ ଅନୁଯାୟୀ ପାଣି ଓ ଲୁଣ ଦେଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ଚାଉଳ ଅଧା ସିଝିଗଲା ପରେ ସେଥିରୁ ପେଜ ଗାଳି ଦିଅନ୍ତୁ । ତା ପରେ ଡିସର ଅଧା ଚାଉଳକୁ ଗୋଟିଏ ପାତ୍ରରେ କାଢ଼ି ରଖନ୍ତୁ । ପୂର୍ବରୁ କରି ରଖିଥିବା ମାଛ ମସଲାର ଗୋଟିଏ ଲେୟାର ଦିଅନ୍ତୁ । ତା ପରେ ଆଉ ଗୋଟିଏ ଲେୟାର ଚାଉଳ ଦିଅନ୍ତୁ । ଏହିଭଳି ଭାବରେ ଗୋଟେ ପରେ ଗୋଟେ ଲେୟାର ଦେଇ ଡିସ୍କୁ ଭର୍ତ୍ତି କରି ତା ଉପରେ କେଶର ପକାଇ ୧୫ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ବସାନ୍ତୁ । ତା ପରେ ଗ୍ୟାସ ବନ୍ଦ କରି ବିରିୟାନିକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ଗରମ ଗରମ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ଖୁଆନ୍ତୁ ।