ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ
ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବାର ସ୍ୱାଭାବିକ ସମୟ ଜୁନ ୧ ତାରିଖ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଦିନେ ପୂର୍ବରୁ ଅର୍ଥାତ ମେ’ ୩୧ ତାରିଖରେ ଛୁଇଁବ ବୋଲି କହିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଜୁନ ୧୦ ତାରିଖ ଦିନ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ବର୍ଷ ମୌସୁମୀ ମେ’ ୩୧ ତାରିଖରେ କେରଳ ଛୁଇଁବ । ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ୪ଦିନ ଏପଟ ସେପଟରେ ଅର୍ଥାତ ମେ’ ୨୭ରୁ ଜୁନ ୪ ଭିତରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ସୃଷ୍ଟି ହେଉଛି । ଏଣୁ କେନ୍ଦ୍ର ପକ୍ଷରୁ ଏକ ହାରାହାରି ହିସାବରେ ମେ’ ୩୧ରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି । ଭାରତରେ ମୌସୁମୀର ଗତିକୁ ଲକ୍ଷ୍ୟ କଲେ ଜଣାପଡେ଼, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଥମ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏ । ଏହା ପରେ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ବଙ୍ଗୋପସାଗର ମୁହାଁ ହୁଏ । ଏହି ଅନୁଯାୟୀ ମେ’ ୨୨ ତାରିଖ ଆଡ଼କୁ ଆଣ୍ଡାମାନ ସାଗରର ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ଗତ ୧୬ ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନକୁ ନେଇ କରିଥିବା ଆକଳନ ସଠିକ ପ୍ରମାଣିତ ହୋଇଛି । ଚଳିତ ବର୍ଷ ମଧ୍ୟ ଆଇଏମଡିର ଆକଳନ ଆନୁଯାୟୀ ସଠିକ ସମୟରେ ମୌସୁମୀ କେବଳ ଛୁଇଁବ ବୋଲି ଆଇଏମଡି ଦାବି କରିଛି ।