ପାଗ ବଦଳିଗଲାଣି, ଆସୁଛି ବାତ୍ୟା
ପାଗ ବଦଳିଗଲାଣି, ଆସୁଛି ବାତ୍ୟା
admin
Dec 3, 2021 - 07:00
Updated: Dec 3, 2021 - 07:00
ଭୁବନେଶ୍ୱର: ପାଗ ବଦଳି ଯାଇଛି। ଆକାଶ ମେଘାଛନ୍ନ ହେବା ସହ ହାଲୁକା ପବନ ଦେବା ଆରମ୍ଭ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୭୦ କିମି, ପାରଦୀପଠାରୁ ୭୬୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେବ ଏହା ୩୨ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଘଂଟାପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଅତିବେଶୀରେ ପବନର ବେଗ ଶହେ କିଲୋମିଟର ପର୍ଯ୍ୟନ୍ତ ବଢିପାରେ । ଏହାର ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଆଜି ସନ୍ଧ୍ୟା ଠାରୁ ବର୍ଷା ହେବାର ସମ୍ଭାବନା ରହିଛି ।
ସମୟ ବଢୁଛି, ଭୟ ବି ବଢୁଛି । ବାତ୍ୟା ଜୱାଦ ପାଇଁ ସରକାରଙ୍କଠୁ ଚାଷୀ ସମସ୍ତେ ଚିନ୍ତାରେ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ସକାଳ ୫.୩୦ରେ ଗଭୀର ଅବପାତର ରୂପ ନେଇଛି । ଆଗାମି ୧୨ ଘଂଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏହା କାଲି ସକାଳ ସୁଦ୍ଧା ଆନ୍ଧ୍ର ଓ ଓଡିଶା ଉପକୂଳ ଛୁଇଁବ ବୋଲି କୁହାଯାଉଛି । କିନ୍ତୁ ବାତ୍ୟା ଜୱାଦ କେଉଁଠି ସ୍ଥଳଭାଗ ଛୁଇଁବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।
ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।