ପିସିସି ସଭାପତି ପଦବୀ ପାଇଁ ମୁଁ ଉପଯୁକ୍ତ ନୁହେଁ: ସୁର

ପିସିସି ସଭାପତି ପଦବୀ ପାଇଁ ମୁଁ ଉପଯୁକ୍ତ ନୁହେଁ: ସୁର

ପିସିସି ସଭାପତି ପଦବୀ ପାଇଁ ମୁଁ ଉପଯୁକ୍ତ ନୁହେଁ: ସୁର
ଭୁବନେଶ୍ୱର: ମୁଁ ଆଶାୟୀ ନୁହେଁ କି ମୁଁ ଉପଯୁକ୍ତ ନୁହେଁ । ମୋର ଗରିମା ନାହିଁ କି ପତିଆରା ନାହିଁ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ପିସିସ ସଭାପତି ପଦବୀ ପାଇଁ ସେ ଆଶାୟୀ କି ବୋଲି ପ୍ରଶ୍ନରେ ଉତ୍ତର ରଖି ଏଭଳି କହିଛନ୍ତି ଶ୍ରୀ ରାଉତରାୟ । ଏହାଛଡ଼ା ପିସିସି ସଭାପତି ପଦକୁ ନେଇ ଗତକାଲି ବାପି ସର୍ଖେଲଙ୍କ ଆବାହକତ୍ୱରେ ଅନୁଷ୍ଠିତ କଂଗ୍ରେସରେ ମେଳିକୁ ମଧ୍ୟ ଶ୍ରୀ ରାଉତରାୟ ତାଚ୍ଛଲ୍ୟ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ କହୁଛନ୍ତି ବା ହେବାକୁ ଚାହୁଁଛନ୍ତି ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଖା କରନ୍ତୁ । ଖାଲି ସେତିକି ନୁହେଁ ଗତକାଲି ନିରଞ୍ଜନ ପଟ୍ଟନାୟକଙ୍କ ‘ମୁକ୍ତି ଦିଅ’ ସମ୍ପର୍କିତ ମନ୍ତବ୍ୟକୁ ନେଇ ମଧ୍ୟ ସୁର ରାଉତରାୟ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ନିରଞ୍ଜନ ବାବୁ ଯଦି କହୁଛନ୍ତି ମୋତେ ମୁକ୍ତି ଦିଅ ତେବେ ସେ ସିଧା ସୋନିଆ ଗାନ୍ଧୀଙ୍କୁ କହୁନାହାନ୍ତି । ସିଧାସଳଖ ସୋନିଆଙ୍କୁ କହନ୍ତେ, କାମ ଖତମ ହୋଇଯାଆନ୍ତା ବୋଲି ସୁର ରାଉତରାୟ କହିଛନ୍ତି । ପ୍ରକାଶ ଯେ, ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ନେତାମାନେ ଗତକାଲି ମେଳି ବାନ୍ଧିଥିଲେ । ଏନେଇ ପାନ୍ଥ ନିବାସରେ ଅନୁଷ୍ଠିତ ବୈଠକରେ ବହୁ ନେତା ଏକାଠି ହୋଇଥିଲେ । ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ପଦରୁ ହଟାଇ ତାଙ୍କ ସ୍ଥାନରେ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିଯୁକ୍ତ କରିବାକୁ ଦାବି କରାଯାଇଥିଲା । କାରଣ ନିରଞ୍ଜନ ପଟ୍ଟନାୟକ ଦଳକୁ ସଠିକ ନେତୃତ୍ୱ ଦେଇପାରୁନଥିବା ନେତାମାନେ ଅଭିଯୋଗ କରିଥିଲେ । ଏନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ପରେ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ମୋତେ ମୁକ୍ତି ଦିଅ । ମୁଁ ପିସିସି ସଭାପତି ପଦରେ ରହିବାକୁ ଚାହୁଁନାହିଁ । ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ମୋତେ କୁହନ୍ତୁ । ମୁଁ ସେମାନଙ୍କ ନାମ ଏଆଇସିସିକୁ ସୁପାରିଶ କରିବି । ଅଯଥାରେ ଏମିତି ମେଳି କରି କଂଗ୍ରେସକୁ ଆଉ ତଳିତଳାନ୍ତ କରନ୍ତୁନି ବୋଲି ନିରଞ୍ଜନ ପଟ୍ଟନାୟକ କହିଥିଲେ । ଏହାଛଡ଼ା ସେ କହିଥିଲେ ଯେ, କଂଗ୍ରେସରେ ଏମିତି ମେଳି, ଚକ୍ରାନ୍ତ ନୂଆ ନୁହେଁ । ଏହା କଂଗ୍ରେସ ନେତାଙ୍କ ପୁରୁଣା ରୋଗ । ଯେଉଁମାନେ ପିସିସିରେ ପଦବୀ କି ଟିକେଟ ପାଇନଥିଲେ ସେମାନେ ଏମିତି କରୁଛନ୍ତି । ମୋତେ ପିସିସି ସଭାପତି ପଦବୀରୁ ବାହାର କରିବାକୁ ବୈଠକ କରିବା କିଛି ଦରକାର ନାହିଁ । ମୁଁ ଉକ୍ତ ପଦବୀରେ ରହିବାକୁ ଚାହୁଁନାହିଁ । ମୋତେ ମୁକ୍ତି ଦେଇ ପଦବୀ କିଏ ନେବ କହନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଥିଲେ ।