ପୁରୀ ନିର୍ବାଚନ ମଣ୍ଡଳୀର ହାଲଚାଲ
ପୁରୀ ନିର୍ବାଚନ ମଣ୍ଡଳୀର ହାଲଚାଲ
admin
Mar 17, 2019 - 05:47
Updated: Mar 17, 2019 - 05:47
ପୁରୀ,ଭାରତର ପ୍ରମୁଖ ଧାମ ହେଉଛି ଜଗନ୍ନାଥଙ୍କ ପୁରୀ ଧାମ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ତଥା ପୁରୀ ନିର୍ବାଚନ ମଣ୍ଡଳୀରେ ବାଜିମାତ ପାଇଁ ସବୁ ରାଜନୈତିକ ଦଳ ସର୍ବଦା ଉଦ୍ୟମ କରି ଆସିଛନ୍ତି । ୧୯୮୫ ମସିହାରୁ ପୁରୀ ବିଧାନସଭା ଆସନରେ କେବଳ ଅଣକଂଗ୍ରେସ ଦଳ ହିଁ ଏଠାରେ ରାଜୁତି କରି ଆସିଛି । ଏହା ପୂର୍ବରୁ ୧୯୮୦ରେ ଶେଷ ଥର ପାଇଁ ଗଦାଧର ମିଶ୍ର କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇ ଥିଲେ । ୧୯୮୫ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୩୫ ବର୍ଷ ଭିତରେ ଜନତା ଦଳ ୧୫ ବର୍ଷ କ୍ଷମତା ଦଖଲ କରିଥବା ବେଳେ ବିଜୁ ଜନତା ଦଳ ଗତ ୪ଟି ନିର୍ବାଚନରେ ଏହି ଆସନକୁ ଦଖଲ କରି ରଖିଛି । ତେବେ ଏହି ୩୫ ବର୍ଷ ଭିତରେ ବ୍ରଜ ତିପାଠୀଙ୍କୁ ୧୦ ବର୍ଷ ସୁଯୋଗ ମିଳିଛି ଓ ମହେଶ୍ୱର ମହାନ୍ତି ଲଗାତର ୧୯୯୫ରୁ ପାଂଚ ଥର ବିଧାୟକ ଭାବେ ହୋଇ ଆସୁଛନ୍ତି । ସମସ୍ତ ପ୍ରତିଦ୍ୱନ୍ଦ୍ୱୀକୁ ଦମନ କରିବାରେ ମହେଶ୍ୱର ସଫଳ ହୋଇଛନ୍ତି ।
ଏଥର ପୁରୀ ବିଧାନସଭାକୁ ନେଇ ଅନ୍ୟ ରାଜନୈତିକ ଦଳ ମଧ୍ୟ ସମ୍ବେଦନଶୀଳ ରହିଛନ୍ତି । ଗତ ୧୯୯୫ରୁ ଲଗାରତ ମହେଶ୍ୱରଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ସ୍ୱୀକାର କରି ଆସୁଥିବା ଉମାବଲ୍ଲଭ ରଥ ଏଥର ବାଧ୍ୟ ହୋଇ ପୁରୀ ଛାଡିଛନ୍ତି । କଂଗ୍ରେସ ନେତା ଉମାବଲ୍ଲଭ ପୁରୀ ଛାଡି ଆଠଗଡ ଯାଇଛନ୍ତି । ତେଣୁ ପ୍ରଥମ କରି ପୁରୀ ଉମାଙ୍କ ବିନା ପ୍ରତିଦ୍ୱନ୍ଦ୍ୱିତା ହେବା ଏକ ପ୍ରକାର ନିଶ୍ଚିତ ରହିଛି ।
ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନରେ ବିଜେଡି ପୁଣି ଥରେ ପ୍ରାର୍ଥୀ କରିବାକୁ ଅଂଟା ଭିଡିଛି । ଅବଶ୍ୟ ଏଥର ଚିତ୍ର ମଧ୍ୟ ଟିକେ ଭିନ୍ନ ରହିଛି । ପୁରୀରେ ମହେଶ୍ୱରଙ୍କ ବିରୋଧରେ ଜନ ଆକ୍ରୋଶ ହିଁ ମହେଶ୍ୱରଙ୍କ ଚିନ୍ତା ବଢାଇଛି । ଶ୍ରୀମନ୍ଦିର ସଂସ୍କାର ମନ୍ଦିର ବିବାଦ, ପୁରୀ ହିଂସା,ପୁରୀର ମନ୍ଥର ବିକାଶ ସ ପୁରୀରେ ବଢୁଥିବା ଅପରାଧକୁ ନେଇ ପୁରୀବାସୀ କ୍ଷୁବ୍ଧ ଅଛନ୍ତି । ସିଧା ସଳଖ ଦଳ ଉପରେ ନଥିଲେ ବି ନେତାଙ୍କ ବିରୋଧରେ ଜନମତ ରହିଛି ।
ତେବେ ରାଜନୀତି ଗୋଟି ଚଳନାରେ ସମର୍ଥ ମହେଶ୍ୱର ବିରୋଧଙ୍କୁ ପୁଣି ଥରେ କେତେ ଦୂର ଏକାଠି କରି ପାରୁଛନ୍ତି, ତାହା ଉପରରେ ରାଜନୈତିକ ମହଲରେ ନଜର ରହିଛି । ଅନ୍ୟପକ୍ଷରେ କଂଗ୍ରେସରୁ ସେବକ ସଂପ୍ରଦାୟରୁ କଂଗ୍ରେସ ମୁଖପାତ୍ର ବିନାୟକ ଦାସମହାପାତ୍ର ଦାବିଦାର ଥିବା ବେଳେ କଂଗ୍ରେସ ନେତା ବିଶ୍ୱଜିତ୍ ମହାନ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ସେହିଭଳି ବିଜେପିରୁ ସିନେ ଅଭିନେତ୍ରୀ ମହେଶ୍ୱତା ରାୟଙ୍କ ନାମ ସର୍ବାଗ୍ରେ ରହିଥିବା ବେଳେ ବିଜେପି ନେତା କୃଷ୍ଣ ପଣ୍ଡା, ଭବାନୀ ଦାସମହାପାତ୍ର ଆଶାୟୀ ରହିଛନ୍ତି ।