ଦାମଙ୍କ ପାଇଁ କଟିବ ସମ୍ପଦ ଓ ରଘୁନନ୍ଦନଙ୍କ ଟିକେଟ
ଦାମଙ୍କ ପାଇଁ କଟିବ ସମ୍ପଦ ଓ ରଘୁନନ୍ଦନଙ୍କ ଟିକେଟ
admin
Mar 17, 2019 - 06:12
Updated: Mar 17, 2019 - 06:12
ଭୁବନେଶ୍ୱର : ଡାକ୍ତର ଦାମୋଦର ରାଉତଙ୍କ ବିଜେପିରେ ଯୋଗଦାନ ଅନେକ ନେତାଙ୍କ ଅଙ୍କ ଓଲଟପାଲଟ କରିଦେଇଛି । ଗୋଟିଏ ପଟେ ପୁଅ ସମ୍ବିତ ରାଉତରାୟଙ୍କ ବିଜେଡି ଟିକେଟ ନେଇ ସନ୍ଦେହ ପ୍ରକାଶ ପାଇଛି । ଅପରପକ୍ଷରେ ପାରାଦୀପର ବିଜେପି ନେତା ସମ୍ପଦ ସ୍ୱାଇଁ ଓ ବାଲିକୁଦା ଏରସମା ବିଜେପି ନେତା ରଘୁନନ୍ଦନ ଦାସଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି । ଦାମଙ୍କ ପାଇଁ ଏହି ଦୁଇ ନେତାଙ୍କ ଟିକେଟ କଟିବ ବୋଲି ଚର୍ଚ୍ଚା ହେଉଛି ।
ଦାମ ବିଜେପିରେ ଯୋଗଦେବେ ବୋଲି କେହି ବିଶ୍ୱାସ ବି କରିପାରୁନଥିଲେ । ତେବେ ସମସ୍ତେ କିନ୍ତୁ ଦାମବାବୁଙ୍କ ପରବର୍ତୀ ଗୋଟିଚାଳନା ଉପରେ ନଜର ରଖିଥିଲେ । ଦାମ ବିଜେପିରେ ମିଶିବା ପୂର୍ବରୁ ପାରାଦୀପରୁ ସମ୍ପଦ ସ୍ୱାଇଁ ଟିକେଟ ପାଇବେ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଏବେ ସମ୍ପଦ ଆଶଙ୍କା ଦେଇ ଗତି କରୁଛନ୍ତି । ଅପରପକ୍ଷରେ ପାରାଦୀପରୁ ଦାମଙ୍କ ପୁଅ ସମ୍ବିତ ଲଢ଼ିବେ ବୋଲି କୁହାଯାଉଥିଲା । ନବୀନ ନିବାସରୁ ମଧ୍ୟ ତାଙ୍କୁ ଡାକରା ଆସିଥିଲା । ତେବେ ବାପାଙ୍କୁ ମନେଇପାରିଲେ ତାଙ୍କର ଟିକେଟ ପକ୍କା ବୋଲି କୁହାଯାଉଥିଲା । ଦେବାଶିଷ ସାମନ୍ତରାୟ ଓ ପ୍ରତାପ ଜେନା ତାଙ୍କୁ ନବୀନ ନିବାସ ନେଇ ଯାଇଥିଲେ । ଗୋଟିଏ ପଟେ ନବୀନ ନିବାସରେ ଏଭଳି ଚର୍ଚ୍ଚା ଚାଲିଥିବାବେଳେ ଦାମଙ୍କ ଘରେ ବିଜେପି ନେତାମାନେ ପହଁଚି ଯାଇଥିଲେ । ଫଳରେ ସମ୍ବିତ ମଧ୍ୟ ତୁରନ୍ତ ନବୀନ ନିବାସରୁ ନିଜ ଘରକୁ ଚାଲି ଆସିଥିଲେ । ଦାମଙ୍କୁ ସେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦାମ ରାଜି ହୋଇନଥିଲେ । ଫଳରେ ସମ୍ବିତ ମଧ୍ୟ ଆଉ ନବୀନ ନିବାସ ନଫେରି ଘରେ ବସିବାକୁ ବାଧ୍ୟ ହୋଇଥିଲେ ।
ଏଭଳି ସ୍ଥିତିରେ ସମ୍ବିତଙ୍କ ବିଜେଡ଼ି ଟିକେଟ ଆଶା ଆଶଙ୍କା ଦେଇ ଗତି କରୁଛି । ତେବେ ଦାମ ବିଜେପିରେ ଯୋଗ ଦେଇସାରିଥିବାରୁ ସମ୍ବିତଙ୍କୁ ପାରାଦୀପରୁ ଟିକେଟ ମିଳିବ ବୋଲି ମଧ୍ୟ ପାରାଦୀପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ସେ ଯାହାହେଉନା କାହିଁକି ଏବେ ପାରାଦୀପର ଯୁବ ବିଜେପି ନେତା ସମ୍ପଦ ସ୍ୱାଇଁ କ’ଣ କରିବେ ସେନେଇ ସମର୍ଥକଙ୍କ ସହ ଆଲୋଚନା କରୁଥିବା ଜାଣିବାକୁ ମିଳିଛି ।
ପାରାଦୀପ ଭଳି ବାଲିକୁଦା-ଏରସମା ବିଜେପିରେ ବି ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି । ଦାମ ବିଜେପିକୁ ଆସିଲେ ଆମେ ସ୍ୱାଗତ କରିବୁ ବୋଲି ରଘୁନନ୍ଦନ ଦାସ କହିଥିଲେ । କାହିଁକିନା ଦାମ ବିଜେପିରେ ମିଶିଲେ ପାରାଦୀପରୁ ଲଢ଼ିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ବିଜେଡ଼ିରେ ଥିବାବେଳେ ରଘୁଙ୍କ ସହ ମଧ୍ୟ ଦାମଙ୍କର ସୁସମ୍ପର୍କ ନଥିଲା । କିନ୍ତୁ ଏବେ ଦାମ ନିଜ ଜନ୍ମଭୂମିରୁ ଶେଷ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି । ଫଳରେ ରଘୁନନ୍ଦନ ଚିନ୍ତାରେ ପଡ଼ିଯାଇଛନ୍ତି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ଦାମ ନିଜେ ନଲଢ଼ନ୍ତି ତେବେ ବାଲିକୁଦା-ଏରସମାରୁ ନିଜ ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ଓ ପାରାଦୀପରୁ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରାଇପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏଭଳି ହେଲେ ପରିବାରବାଦର ଭିନ୍ନ ବାର୍ତା ଯିବାର ଥିବାରୁ ଏଥର ନିଜ ପରିବାରରୁ କେହି ନଲଢ଼ନ୍ତୁ ବୋଲି ଦାମ ଚାହୁଁଥିବା ମଧ୍ୟ କେତେକ ମତବ୍ୟକ୍ତ କରିଛନ୍ତି ।