ପୃଥ୍ୱୀଙ୍କ ତ୍ରୁଟିର ରହସ୍ୟ ଖୋଲିଲେ ସଚିନ

ପୃଥ୍ୱୀଙ୍କ ତ୍ରୁଟିର ରହସ୍ୟ ଖୋଲିଲେ ସଚିନ

ପୃଥ୍ୱୀଙ୍କ ତ୍ରୁଟିର ରହସ୍ୟ ଖୋଲିଲେ ସଚିନ
ମୁମ୍ବାଇ:ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଫଳ ହୋଇଥିବା ଯୁବ ଓପନର ପୃଥ୍ୱୀ ଶ’ଙ୍କୁ ନେଇ ଟିମ ଇଣ୍ଡିଆ ଚିନ୍ତାରେ ପଡ଼ି ଯାଇଛି । ଏକଦା ବ୍ୟାଟିଂ ବିସ୍ମୟ ଭାବେ ଗଣା ହେଉଥିବା ପୃଥ୍ୱୀ ବାରମ୍ବାର ବେପରବାୟ ସଟ ଖେଳି ସମାଲୋଚିତ ହୋଇଛନ୍ତି । ଆଡିଲେଡରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ସେ ଯଥାକ୍ରମେ ୦ ଓ ୪ ରନ କରିଥିଲେ । ସଟ୍ ଖେଳିବା ସମୟରେ ପୃଥ୍ୱୀଙ୍କ ବ୍ୟାଟ ଓ ପ୍ୟାଡ ମଧ୍ୟରେ ଅନେକ ଦୂରତା ରହୁଥିବା ଦେଖିବାକୁ ମିଳିଛି । ଫଳରେ ବୋଲରମାନେ ତାଙ୍କ ବ୍ୟାଟ ଓ ପ୍ୟାଡ ମଧ୍ୟରେ ବଲ ପକାଇ ଆଉଟ କରିବାରେ ସଫଳ ହୋଇଛନ୍ତି । ବ୍ୟାଟିଂ ଟେକନିକରେ ପ୍ରଥମ ନିୟମ ଅନୁସାରେ ବ୍ୟାଟ ଓ ପ୍ୟାଡ ମଧ୍ୟରେ ଫାଙ୍କା ସ୍ଥାନ ନ ରହିବା ଉଚିତ । ପୃଥ୍ୱୀଙ୍କ ଭଳି ବ୍ୟାଟସମ୍ୟାନ ଏଭଳି ତ୍ରୁଟି କରିବା ଅନେକଙ୍କୁ ବିସ୍ମିତ କରିଛି । ହେଲେ କେହି ଏଭଳି ତ୍ରୁଟି ପଛର କାରଣ ଖୋଜି ପାଇନାହାନ୍ତି । କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ପୃଥ୍ୱୀଙ୍କ ତ୍ରୁଟିର ଅସଲ କାରଣ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପୃଥ୍ୱୀଙ୍କ ଫୁଟୱାର୍କ ମନ୍ଥର ହୋଇଯାଇଛି । ଯାହା ଫଳରେ ବ୍ୟାଟିଂ ସମୟରେ ତାଙ୍କ ବ୍ୟାଟ ଓ ପ୍ୟାଡ ମଧ୍ୟରେ ଫାଙ୍କା ସ୍ଥାନ ରହିଯାଉଛି । କୌଣସି ବ୍ୟାଟସମ୍ୟାନ ସାଧାରଣତଃ ମନୋବଳ ହରାଇ ବସିଥିବା ସମୟରେ ଏଭଳି ତ୍ରୁଟି କରିଥାଏ । ପୃଥ୍ୱୀ ଗୋଡ ବାହାର କରିବାରେ ବିଳମ୍ବ କରୁଛନ୍ତି । ଯାହା ଫଳରେ ତାଙ୍କ ବ୍ୟାଟ ସଠିକ ସମୟରେ ପ୍ୟାଡ ନିକଟରେ ପହଞ୍ଚିପାରୁନାହିଁ ।