ପ୍ରତୁ୍ୟଷା ଯିବେ କଂଗ୍ରେସ, ବିଜେପି ଯିବେ ସିଦ୍ଧାନ୍ତ !

ପ୍ରତୁ୍ୟଷା ଯିବେ କଂଗ୍ରେସ, ବିଜେପି ଯିବେ ସିଦ୍ଧାନ୍ତ !

ଭୁବନେଶ୍ୱର : ପ୍ରାର୍ଥୀ ତାଲିକା ଘୋଷଣା ପରେ ଜଣକ ପରେ ଜଣେ ନେତା ବିଜୁ ଜନତା ଦଳ ଛାଡ଼ୁଛନ୍ତି । କିଏ କଂଗ୍ରେସ ତ କିଏ ବିଜେପି ପଟକୁ ମୁହାଁଉଛନ୍ତି । ଅପରପକ୍ଷରେ ପ୍ରାର୍ଥୀ ସଂକଟ ଦେଇ ଗତି କରୁଥିବା ଦୁଇ ଜାତୀୟ ଦଳ ସେମାନଙ୍କୁ ଆଦରି ନେବା ସହ ନିଶ୍ଚିତ ଟିକେଟ ଦେବାର ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳୁଛି । କନ୍ଧମାଳରେ ଅଚୁ୍ୟତ ସାମନ୍ତ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେବା ପରେ ଅସନ୍ତୁଷ୍ଟ ହୋଇ ପଡ଼ିଥିଲେ ପ୍ରତୁ୍ୟଷା । ଅବଶ୍ୟ ପ୍ରତୁ୍ୟଷା କନ୍ଧମାଳ ସାଂସଦ ହେବା ଅପେକ୍ଷା ନୟାଗଡ଼ ବିଧାୟିକା ହେବା ପାଇଁ ଚାହୁଁଥିଲେ । ସେଥିପାଇଁ ଟିକେଟ ଘୋଷଣା ପରେ ପରେ ପ୍ରତୁ୍ୟଷା ମୁଁ ନୟାଗଡ଼ରୁ ଲଢ଼ିବାକୁ ଚାହୁଁଥିବା କହିଥିଲେ । ଆଶା ଥିଲା ଦଳ ଅରୁଣ ସାହୁଙ୍କୁ ରଣପୁର ପଠାଇ ପ୍ରତୁ୍ୟଷାଙ୍କୁ ନୟାଗଡ଼ ଆସନରେ ଲଢ଼ିବାକୁ ସୁଯୋଗ ଦେବ । ତେବେ ଅରୁଣଙ୍କ ସମର୍ଥକମାନେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ପରେପରେ ଦଳ ପକ୍ଷରୁ ଅରୁଣଙ୍କୁ ନୟାଗଡ଼ରୁ ପ୍ରାର୍ଥୀ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ମିଳିଗଲା । ଅପରପକ୍ଷରେ ଆଉ ବାଟ ନପାଇ ଏବେ ପ୍ରତୁ୍ୟଷା କଂଗ୍ରେସକୁ ଯିବେବୋଲି ଜାଣିବାକୁ ମିଳିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ପ୍ରତୁ୍ୟଷାଙ୍କ ସ୍ୱାମୀ ଦିବଂଗତ ନେତା ହେମେନ୍ଦ୍ର ସିଂହ କଂଗ୍ରେସର ଜଣେ ତୁଙ୍ଗ ନେତା ଥିବାରୁ ନୟାଗଡ଼ରେ ତ୍ରିମୁଖୀ ଲଢେ଼ଇ ପାଇଁ ବାଟ ଫିଟିଯାଇଛି । ସେହିପରି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଟିକେଟ କଟିସାରିଛି । ସେଠାରୁ ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହୋଇଛନ୍ତି । ସିଦ୍ଧାନ୍ତ ଏଯାଏଁ ଦଳରୁ ଇସ୍ତଫା ଦେଇନାହାନ୍ତି । ତାଙ୍କର ମାନଭଞ୍ଜନ ପାଇଁ ଉଦ୍ୟମ ଜାରିରହିଛି । ତେବେ ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସିଦ୍ଧାନ୍ତ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଯଦି ସବୁ କିଛି ଠିକଠାକ ଚାଲେ ତେବେ ସିଦ୍ଧାନ୍ତ ଅପରାହ୍ନରେ ବିଜେପିରେ ମିଶିପାରନ୍ତି ।