ପ୍ରେମିକାକୁ ମହଙ୍ଗା ପଡିଲା ପ୍ରେମିକ ପାଇଁ ପରୀକ୍ଷା ଦେବା

ପ୍ରେମିକାକୁ ମହଙ୍ଗା ପଡିଲା ପ୍ରେମିକ ପାଇଁ ପରୀକ୍ଷା ଦେବା

ପ୍ରେମିକାକୁ ମହଙ୍ଗା ପଡିଲା ପ୍ରେମିକ ପାଇଁ ପରୀକ୍ଷା ଦେବା
ସମ୍ବଲପୁର : ଜାଲ ଆଡମିଟ କାର୍ଡ ପ୍ରସ୍ତୁତ କରି ଅନ୍ୟଜଣଙ୍କ ନାମରେ ମାଟ୍ରିକ ପରୀକ୍ଷା ଦେବା ମହଙ୍ଗା ପଡ଼ିଲା । ସ୍କ୍ରୁଟିନି ବେଳେ ଧରାପଡ଼ିବାରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ଅଭିଯୋଗକ୍ରମେ ପ୍ରକୃତ ପରୀକ୍ଷାର୍ଥୀ ଓ ପରୀକ୍ଷା ହଲରେ ବସିଥିବା ଯୁବତୀଙ୍କୁ ପୁଲିସ ଗିରଫ କରିଛି । ପ୍ରେମିକ ପାଇଁ ପ୍ରେମିକା ପରୀକ୍ଷା ଦେବାକୁ ଆସିଥିବା ପୁଲିସ ସ୍ପଷ୍ଟ କରିଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ । ପୁଲିସ ଉଭୟ ଅସଲି ଓ ନକଲି ଆଡମିଟ କାର୍ଡକୁ ଜବତ କରିଥିବା ସମୟରେ ପରୀକ୍ଷା ଖାତାକୁ ମଧ୍ୟ ଜବତ କରିଛି । ଏସଂକ୍ରାନ୍ତରେ ଧନୁପାଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ଓପନ ସ୍କୁଲ(ଏସଓଏସସି) ମାଧ୍ୟମରେ ପଢ଼ୁଥିବା ସମ୍ବଲପୁର ଜିଲ୍ଲା ସଦର ଥାନା ପଡ଼ିଆବାହାଲ ମହୁଲମୁଣ୍ଡା ଗ୍ରାମର ଲକ୍ଷ୍ମଣ ମେହେରଙ୍କର ଧନୁପାଲି ଥାନା କମିସନର କଲୋନି ହାଇସ୍କୁଲରେ ସେଣ୍ଟର ପଡ଼ିଥିଲା । କିନ୍ତୁ ଲକ୍ଷ୍ମଣ ପରୀକ୍ଷା ଦେବାକୁ ଆସିନଥିଲେ । ତାଙ୍କ ସ୍ଥାନରେ ରେଙ୍ଗାଲି ଥାନା ତିଲ୍ଲା ଗ୍ରାମର କମଳା ସେଠଙ୍କୁ ପଠାଯାଇଥିଲା । କମଳା ନକଲି ଆଡମିଟ କାର୍ଡରେ ନିଜକୁ ଲକ୍ଷ୍ମୀ ମେହେର ବୋଲି ଦର୍ଶାଇଥିଲେ । ପ୍ରାଥମିକ ଯାଞ୍ଚ ସମୟରେ କମଳା ନିଜ ନାମ ଭୁଲରେ ଲକ୍ଷ୍ମୀ ପରିବର୍ତ୍ତେ ଲକ୍ଷ୍ମଣ ଓ ମହିଳା ପରିବର୍ତ୍ତେ ପୁରୁଷ ଲେଖାହୋଇଥିବା କହି ଫାଙ୍କି ଦେଇଥିଲେ । ମାତ୍ର ପରବର୍ତ୍ତୀ ସ୍କ୍ରୁଟିନି ସମୟରେ କଟକ ବୋର୍ଡ କାର୍ଯ୍ୟାଳୟ, ସମ୍ବଲପୁର ବୋର୍ଡ କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା ବିଭାଗକୁ ଆସିଥିବା ତଥ୍ୟ ସହ ଲକ୍ଷ୍ମୀ ମେହେରଙ୍କ ଆଡମିଟ୍ କାର୍ଡ ମେଳ ଖାଇନଥିଲା । ପରୀକ୍ଷା ପରିଦର୍ଶକ ମଧ୍ୟ ଏ ନେଇ ସନ୍ଦେହ ପ୍ରକାଶ କରି ଖାତାରେ ସ୍ୱାକ୍ଷର କରିନଥିଲେ । ସୂଚନା ପାଇ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ବୀନତି ମିଶ୍ର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ଉଭୟ ଲକ୍ଷ୍ମଣ ମେହେର ଓ କମଳା ସେଠଙ୍କୁ ପଚରାଉଚରା କରିବା ପରେ ସେମାନେ ସତ ଓକାଳିଥିଲେ । ପ୍ରେମିକ ଲକ୍ଷ୍ମଣଙ୍କ ସ୍ଥାନରେ ସେ ନିଜେ ଯାଇ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ ବୋଲି କମଳା ସ୍ୱୀକାର କରିଥିଲେ ।