ଫୋକସରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ

ଫୋକସରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ

ଫୋକସରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ
ତିହିଡି: ଲଗାତର ୬ ଥର ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନିଜ କରାୟତରେ ରଖିଥିବା ରାଉତରାୟ ପରିବାର ଚଳିତ ନିର୍ବାଚନରେ ଆଶାୟୀ ପ୍ରାର୍ଥି ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣି ରାଉତରାୟଙ୍କ ନାତି ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣବ୍ରତ ବାପାଙ୍କ ଭୋଟ ଅକ୍ତିଆର କରିବାରେ କେତେଦୂର ସକ୍ଷମ ହେବେ ତାହା ସଂପ୍ରତି ଆଲୋଚ୍ୟ ବିଷୟ ପାଲଟିଛି । ବିଗତ ୨ ବର୍ଷ ହେଲା ମନ୍ତ୍ରୀ ବିଜୟଶ୍ରୀ ରାଜନୀତିରୁ ସନ୍ୟାସ ନେବାଲାଗି ଖୋଲାଖୋଲି ବକ୍ତବ୍ୟ ରଖିଥିôବା ଓ ପୁଅକୁ ରାଜନୀତିରେ ସାମିଲ କରିବା ସମ୍ପର୍କରେ ଭାଷଣ ଦେଇ ଆସୁଅଛନ୍ତି । ଦଳୀୟ ସୁପ୍ରିମୋଙ୍କ ଠାରେ ନିବେଦନ ମଧ୍ୟ କରିଛନ୍ତି । ସେହିପରି ବିଜେପି ପକ୍ଷରୁ ମାଧବାନନ୍ଦ ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି । ମାଧବାନନ୍ଦ ଗତ କିଛି ମାସ ତଳେ କଂଗ୍ରେସ ଦଳ ଛାଡି ବିଜେପି ମିଶିଥିବା ଜଣାଯାଇଛି । କଂଗ୍ରେସ ଦଳରେ ଥିବାବେଳେ ଯେିତିକି ଭୋଟ ପାଉଥିଲେ ଏହି ଦଳରେ ତାହା ପାଇବାକୁ ଆଶାୟୀ ଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସର ସ୍ଥିତି ବଦଳି ଯାଇଥିବା ଆକଳନ କରାଯାଉଛି । ପରିବାର ରାଜନୀତିର ଉଚ୍ଛେଦ କରିବା ବିଜେପିର ମୂଳ ଲକ୍ଷ୍ୟ ହୋଇଥିବା କୁହାଯାଉଛି । ସେହିପରି ଜିଲ୍ଲା କଂଗ୍ରେସ ସଭାପତି ତଥା ବାସୁଦେବପୁର ଏନଏସିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ଦାସ ବିଗତ କିଛି ମାସ ହେଲା ଦଳୀୟ ବୈଠକ ଜରିଆରେ ନିଜକୁ ଆଶାୟୀ ପ୍ରାର୍ôଥଭାବେ ସୂଚନା ଦେଉଛନ୍ତି । ବାସୁଦେବପୁର ଏନଏସି ସମେତ ବାସୁଦେବପୁର ବ୍ଲକ ଓ ତିହିଡି ବ୍ଲକର ଥିବା ୯ ପଞ୍ଚାୟତରେ ତାଙ୍କର ଆଶାନୁରୁପ ପରିଚୟ ମଧ୍ୟ ରହିଛି । ସେହିପରି ଏହି ବିଧାନସଭା ଆସନକୁ ଲଗାତରଭାବେ ୬ ଥର କ୍ଷମତା ହାତେଇଥିବା ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଭୋଟ ପାଇବାକୁ ଲକ୍ଷ୍ୟ ରଖିଛି । ବାସୁଦେବପୁର ବ୍ଲକ ଓ ଏନଏସି ସମେତ ତିହିଡି ବ୍ଲକର ସମସ୍ତ ପଞ୍ଚାୟତରୁ ଅଧିକ ଭୋଟ ପାଇବାକୁ ଆଶା ମଧ୍ୟ ବାନ୍ଧିଛନ୍ତି । କେବଳ ସେତିକି ନୁହେଁ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ବିଜୟଶ୍ରୀଙ୍କ ପୁଅ ବିଷ୍ଣୁବ୍ରତ ଯୋଗଦେଇ ପିତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ମଧ୍ୟ ଉଦ୍ବୋଧନ ଦେଉଛନ୍ତି । ଅନ୍ୟପଟେ ବିଜେଡିର ଜନପ୍ରତିନିଧି, ଛାମୁଆ ନେତା ଓ ଟାଣୁଆ କର୍ମୀମାନେ ତାଙ୍କ ସପକ୍ଷରେ ପ୍ରଚାର ମଧ୍ୟ ଆରମ୍ଭ କଲେଣି । ତେବେ ବିଷ୍ଣୁବ୍ରତ ଅକ୍ତିଆର କରିପାରିବେକି ବାପାଙ୍କ ଭୋଟ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଆବାସ ମିଳିଲାଣି । ୧୯୬୧ ମସିହାର ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ବିଜୟଶ୍ରୀ ରାଉତଙ୍କ ପିତା ସ୍ୱର୍ଗତ ନିଳମଣି ରାଉତରାୟ ଜାତୀୟ କଂଗ୍ରେସ ଦଳରୁ ବିଧାୟକଭାବେ ବିଜୟ ହାସଲ କରିଥିବା ବେଳେ ୧୯୭୧ରେ ମଧ୍ୟ ଉକ୍ରଳ କଂଗ୍ରେସରୁ ଜିତିଥିଲେ । ତେବେ ୧୯୭୭ ମସିହାରେ ଜନତା ଦଳ ପକ୍ଷରୁ ବିଜୟ ହାସଲ କରିବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ଜନତା ଦଳ ପକ୍ଷରୁ ୧୯୯୦ ଓ ୧୯୯୫ ମସିହାରେ ବିଜୟଶ୍ରୀ ରାଉତରାୟ ବିଧାୟକ ପଦବୀ ହାତେଇଥିଲେ । ୨୦୦୦ ମସିହାରେ ବିଜୁ ଜନତା ଦଳ ଗଠିତ ହେବାପରେ ଏଯାବତ ଲଗାତର ୬ ଥର ବିଧାୟକ ହୋଇଛନ୍ତି । ଏପରି ସଫଳତାର ସ୍ୱାଦ ପୁଣିଥରେ ତାଙ୍କ ପରିବାର ମଧ୍ୟରେ ସୀମିତ ରଖିବା ଲାଗି ବିଜୟଶ୍ରୀଙ୍କ ପୁଅ ବିଷ୍ଣୁବ୍ରତ ନିର୍ବାଚନ ମୈଦାନାରେ ପାଦ ଥାପିବାକୁ ଆଶାୟୀ ହୋଇଥିବା ନିସନ୍ଦେହ । ତେବେ ଦଳୀୟ ବିଶୃଙ୍ଖଳା ପଦାକୁ ଆସିନଥିଲେ ମଧ୍ୟ ଦୀର୍ଘ ଦଶନ୍ଧି ଧରି ଗୋଟିଏ ପରିବାରର ଲୋକ ଏହି ନିର୍ବାଚନ ମଣ୍ଡଳୀରେ ରାଜ କରିବାକୁ କେତେକ ସ୍ଥଳରେ କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିବା ଜଣାଯାଇଛି । ୨୦୦୯ ମସିହାରେ ବିଜେଡି ପକ୍ଷରୁ ବିଜୟଶ୍ରୀ ରାଉତରାୟ ୭୦ ହଜାର ୨୦ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସରୁ ମାଧବାନନ୍ଦ ମଲ୍ଲିକ ୬୪ ହଜାର ୧୬ ଖଣ୍ଡ ଓ ବିଜେପିର ଅଶୋକ କୁମାର ସାହୁ ମାତ୍ର ୯ ହଜାର ୨୭୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି ୨୦୧୪ରେ ବିଜୟଶ୍ରୀ ରାଉତରାୟ ୭୭ ହଜାର ୭୮୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସରୁ ମାଧବାନନ୍ଦ ମଲ୍ଲିକ ୭୧ ହଜାର୨୭୫ ଖଣ୍ଡ ଓ ବିଜେପିର ଦୀନବନ୍ଧୁ ପତି ମାତ୍ର ୧୫ ହଜାର ୩୩୯ ଖଣ୍ଡ ଭୋଟ ପାଇଥିଲେ । ଏହି ହାରରେ ଚଳିତ ନିର୍ବାଚନରେ ବିଜେଡିର ଭୋଟ ବୃଦ୍ଧି ପାଇବାର ସମ୍ଭାବନା ଥିବା ବିଜେଡି ଆଶା ବାନ୍ଧିଛି । ହେଲେ ବିଗତ ନିର୍ବାଚନ ତୁଳନାରେ ଉଭୟ ବିଜେପି ଓ କଂଗ୍ରେସର ସ୍ଥିତି ସୁଦୃଢ ହୋଇଥିବା ଶୁଣିବାକୁ ମିଳୁଛି । ମାତ୍ର ଘରକୁ ନପଶୁଣୁ ମୁଣ୍ଡରେ ·ଳ ବାଜିବା ପରି ବିଜେପିର ଦଳୀୟ ଟିକେଟ୍ ଘୋଷଣା ଦିନରୁ ଆରମ୍ଭ ହୋଇଛି ବିବାଦ । ବରିଷ୍ଟ ବିଜେପି ନେତା ତଥା ପୂର୍ବଥର ଲଢିଥିବା ନେତା ଦୀନବନ୍ଧୁ ପତିଙ୍କୁ ଦଳୀୟ ଟିକେଟ୍ ମିଳିବା ଲାଗି ଦାବୀ ଜୋର୍ ଧରିଛି । କେବଳ ସେତିକି ନୁହେଁ ବିଭିନ୍ନ ସ୍ଥାନରେ ତାଙ୍କ ସପକ୍ଷବାଦୀ ପ୍ରତିବାଦ କରିବା ସହ ଜିଲ୍ଲା କାର୍ଯ୍ୟାଳୟର ତାଲା ମାରି ପ୍ରାର୍ଥିତ୍ୱ ପରିବର୍ତ୍ତନ ଦାବୀ କରିଛନ୍ତି ଏବଂ ଶ୍ରୀ ପତିଙ୍କୁ ଟିକେଟ ପ୍ରଦାନ କରାନଗଲେ ସମୂହ ଦଳ ଛାଡିବାକୁ ନିଷ୍ପତି ନେଇଥିବା ଚେତାବନି ଦେଇଛନ୍ତି । ଏହି ନିର୍ବାଚନରେ ଏହାର ପ୍ରଭାବ ନିଶ୍ଚିତରୁପେ ପ୍ରତିଫଳିତ ହେବବୋଲି ଆକଳନ କରାଯାଉଛି । ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକର ଥିବା ୯ ପଞ୍ଚାୟତର ଭୋଟରଙ୍କ ମତଦାନ ସର୍ବଦା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ଚଳିତ ନିର୍ବାଚନରେ ଏହାର ସ୍ଥିତି କଣ ହେବ ତାହା ଦେଖିବା ବାକି ରହିଲା ।