ବାୟେରେଷ୍ଟୋଙ୍କ ଦମଦାର ଅର୍ଦ୍ଧଶତକ : ପ୍ରଥମ ଟି-୨୦ ମୁକାବିଲା ଜିତିଲା ଇଂଲଣ୍ଡ

ବାୟେରେଷ୍ଟୋଙ୍କ ଦମଦାର ଅର୍ଦ୍ଧଶତକ : ପ୍ରଥମ ଟି-୨୦ ମୁକାବିଲା ଜିତିଲା ଇଂଲଣ୍ଡ

ବାୟେରେଷ୍ଟୋଙ୍କ ଦମଦାର ଅର୍ଦ୍ଧଶତକ : ପ୍ରଥମ ଟି-୨୦ ମୁକାବିଲା ଜିତିଲା ଇଂଲଣ୍ଡ
କେପଟାଉନ : ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଟି ୨୦ ମୁକାବିଲାକୁ ଇଂଲଣ୍ଡ ଜିତି ନେଇଛି । ଜନି ବାୟେରେଷ୍ଟୋଙ୍କ ଦମଦାର ୮୬ ରନ ବଳରେ ଇଂଲଣ୍ଡ ଏହି ମୁକାବିଲାକୁ ୫ ୱିକେଟରେ ଜିତି ନେଇଥିଲା । ଶୁକ୍ରବାର ନ୍ୟୁଲ୍ୟାଣ୍ଡସରେ ଅନୁଷ୍ଠିତ ମୁକାବିଲାରେ ବାୟେରେଷ୍ଟୋ ୪୮ ବଲରୁ ୮୬ ରନର ଇନିଂସ ଖେଳିଥିଲେ । ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫି୍ରକା ୨୦ ଓଭରରେ ୬ ୱିକେଟଗ ହରାଇ ୧୭୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଡୁ ପ୍ଲେସିସ ସର୍ବାଧିକ ୫୮ ରନ ସଂଗ୍ରହ କରିଥିଲେ । ୪୦ ବଲର ଇନିଂସରେ ଫାଫ ୪ଟି ଚୌକା ଏବଂ ଦୁଇଟି ଛକ୍କା ମାରିଥିଲେ । ଏହା ବ୍ୟତିତ ରାଶି ଭାନ ଡେର ଦୁସେନ ୨୮ ବଲରୁ ୩୭ ଏବଂ ଅଧିନାୟକ କ୍ୱିଣ୍ଟନ ଡିକକ୍ ୩୦ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ ସାମ କୁରାନ ୨୮ ରନ ବିନିମୟରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜୋଫ୍ରା ଆର୍ଚର, କ୍ରିସ ଜୋର୍ଡାନ ଏବଂ ଟମ କୁରାନ ପ୍ରତ୍ୟୋକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୮୦ ରନ ଲକ୍ଷ୍ୟର ପିଛା କରୁଥିବା ଭ୍ରମଣକାରୀ ଦଳର ଆରମ୍ଭ ସବୁଠାରୁ ଖରାପ ରହିଥିଲା । ଖାତା ଖୋଲିବା ପୂର୍ବରୁ ଜାସନ ରୟ ଏବଂ ମାତ୍ର ୭ ରନ କରି ନିର୍ଭର ଯୋଗ୍ୟ ଜସ ବଟଲର ଆଉଟ ହୋଇଥିଲେ । ଦଳୀୟ ସ୍କୋର ୩୪ରେ ଡାଭିଡ ମଲାନ(୧୯) ଆଉଟ ହେବା ସହିତ ଇଂଲଣ୍ଡକୁ ସଙ୍କଟ ମଧ୍ୟକୁ ଠେଲି ଦେଇଥିଲେ । ବେନ ଷ୍ଟୋକସ(୩୭)ଙ୍କ ସହିତ ମିଶି ବାୟେରେଷ୍ଟୋ ୮୫ ରନ ଯୋଡିଥିଲେ । ଏହାପରେ ଅଧିନାୟକ ମୋର୍ଗାନ (୧୨)ଙ୍କ ସହିତ ୪୦ ରନର ଭାଗିଦାରୀ କରି ବିଜୟ ସୁନିଶ୍ଚିତ କରିଥିଲେ ବାୟେରେଷ୍ଟୋ । ବାୟେରେଷ୍ଟାଙ୍କ ଇନିଂସରେ ୯ଟି ଚୌକା ଏବଂ ୪ଟି ଛକ୍କା ଦେଖିବାକୁ ମିଳିଥିଲା । ୪୮ଟି ବଲର ସମ୍ମୁଖୀନ ହୋଇ ୮୬ ରନ ସଂଗ୍ରହ କରିଥିବା ବାୟେରେଷ୍ଟୋଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।