ବିନା ଅନୁମତିରେ କରୋନା ଔଷଧ ପ୍ରସ୍ତୁତି କରିଛି ପତଞ୍ଜଳି’

ବିନା ଅନୁମତିରେ କରୋନା ଔଷଧ ପ୍ରସ୍ତୁତି କରିଛି ପତଞ୍ଜଳି’

ବିନା ଅନୁମତିରେ କରୋନା ଔଷଧ ପ୍ରସ୍ତୁତି କରିଛି ପତଞ୍ଜଳି’
ଡେରାଡୁନ: କରୋନା ଭୂତାଣୁ ସଂକ୍ରମଣ ଉପଚାର ପାଇଁ ଔଷଧ ପ୍ରସ୍ତୁତି କରି ବିବାଦରେ ପଡ଼ିଛି ଯୋଗଗୁରୁ ରାମଦେବଙ୍କ ମାଲିକାନାଧୀନ ପତଞ୍ଜଳି ଆୟୁର୍ବେଦ । ମଙ୍ଗଳବାର ରାମଦେବ କରୋନା ଔଷଧର ବଜାର ପ୍ରବେଶ ସହିତ ଏହା କରୋନା ସଂକ୍ରମଣକୁ ଶତ ପ୍ରତିଶତ ଆରୋଗ୍ୟ କରିବା ନେଇ ଦାବି କରିଥିଲେ । ତେବେ ଏହି ଔଷଧ ପ୍ରସ୍ତୁତିକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । କରୋନା ଔଷଧ ପ୍ରସ୍ତୁତି ପାଇଁ ପତଞ୍ଜଳି ଆୟୁର୍ବେଦ କେଉଁଠାରୁ ଅନୁମତି ପାଇଛି ଓ କିଏ ଅନୁମତି ଦେଇଛି ତାହା ଉପରେ ପ୍ରଶ୍ନ ଉଠିଛି । ଏହି ଔଷଧର କ୍ଲିନିକାଲ ଟ୍ରାଏଲ କେଉଁଠାରେ ହୋଇଛି ତାହା ମଧ୍ୟ ଜଣାପଡ଼ିନାହିଁ । ଉତ୍ତରାଖଣ୍ଡ ଆୟୁଷ ମନ୍ତ୍ରଣାଳୟ କହିଛି ଯେ କରୋନା ଔଷଧ ପ୍ରସ୍ତୁତି ଲାଗି ପତଞ୍ଜଳି ଆୟୁର୍ବେଦକୁ ଅନୁମତି ଦିଆଯାଇନାହିଁ । ରାଜ୍ୟ ଆୟୁଷ ମନ୍ତ୍ରୀ ହରକ ସିଂହ ରାୱତ କହିଛନ୍ତି ଯେ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦକୁ ଜ୍ୱର ଓ କାଶ ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଉତ୍ପାଦ ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଇଥିଲା । ପତଞ୍ଜଳି ଆୟୁର୍ବେଦ କମ୍ପାନୀ ଯେଉଁ ଆବେଦନ କରିଥିଲା ସେଥିରେ କରୋନା ଭୂତାଣୁ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନଥିଲା । ତେଣୁ ପତଞ୍ଜଳି କମ୍ପାନୀ କିପରି ଔଷଧ ପ୍ରସ୍ତୁତ କରିବାକୁ ଅନୁମତି ପାଇଲା ତାହା ଜଣାଇବାକୁ ନୋଟିସ ଜାରି କରାଯାଇଛି । ଉତ୍ତରାଖଣ୍ଡ ମେଡିକାଲ ଲାଇସେନ୍ସିଂ ଅର୍ଥରିଟିର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ୱାଇଏସ ରାୱତ କହିଛନ୍ତି ଯେ ପତଞ୍ଜଳି ଦିବ୍ୟ ଫାର୍ମାସିର କରୋନା ଔଷଧ ପ୍ରସ୍ତୁତି ସମ୍ପର୍କରେ ଆମେ ଅବଗତ ହୋଇଛୁ । ଏଥିପାଇଁ କମ୍ପାନୀକୁ ନୋଟିସ ଜାରି କରାଯାଇଛି । ନୋଟିସର ଉତ୍ତର ସନ୍ତୋଷ ଜନକ ନ ହେଲେ ବର୍ତ୍ତମାନର ଲାଇସେନ୍ସକୁ ବାତିଲ କରାଯିବ । କେନ୍ଦ୍ର ସରକାର ଏହି ଔଷଧର ବିଜ୍ଞାପନ ପ୍ରସାରଣ ବନ୍ଦ କରିବାକୁ କହିବା ସହ ଏ ସମ୍ପର୍କରେ ସବିଶେଷ ତଥ୍ୟ ଲୋଡ଼ିଛନ୍ତି ।