ଭଣ୍ଡାରୀପୋଖରୀରେ ୩ ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ଜୋରଦାର

ଭଣ୍ଡାରୀପୋଖରୀରେ ୩ ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ଜୋରଦାର

ଭଣ୍ଡାରୀପୋଖରୀରେ ୩ ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ଜୋରଦାର
ଭଦ୍ରକ : ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଏଥର ନିର୍ବାଚନରେ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି । ବିଜେଡି ଗଡକୁ ଦଖଲ କରିବା ପାଇଁ ଉଭୟ କଂଗ୍ରେସ, ବିଜେପି ଓ ଏହି ଗଡକୁ ସୁରକ୍ଷିତ ରଖିବା ପାଇଁ ବିଜେଡି ପକ୍ଷରୁ ଗୋଟିଚାଳନା ଆରମ୍ଭ କରିଛନ୍ତି । କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ବିଜେଡି ପକ୍ଷରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜେପିର ଜିଲା ସଭାପତି ବଦ୍ରୀ ନାରାୟଣ ଧଳ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ପରି ଜାତୀୟ ଦଳ ରାଜ୍ୟ ସଭାପତି ଏହି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ପ୍ରଥମ ଘଟଣା । ଏହି ନିର୍ବାଚନ ମଣ୍ଡଳୀ ଲୋକଙ୍କ ସହ ତାଙ୍କର ପ୍ରାର୍ଥୀ ହେବା ପୂର୍ବରୁ ପରିଚୟ ରହିଛି । ପ୍ରଫୁଲ୍ଲ ତୃତୀୟଥର ପାଇଁ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସେ ଦଳର ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଜିଲା ସଭାପତି ବଦ୍ରୀ ନାରାୟଣ ଧଳ ଦ୍ୱିତୀୟ ଥର ପାଇଁ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ସେ ୧୪ତମ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ଏଥର ଏଠାରୁ ହେଭିୱେଟ୍ ନେତାମାନେ ପ୍ରାର୍ଥୀ ହୋଇଥିବାରୁ ରାଜନୀତି ସରଗରମ ହେବ । ବିଶାଳ ବାଇକ୍ ରାଲିରେ ଯାଇ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଥମ ଥର ପାଇଁ ଏହି ନିର୍ବାଚନ ମଣ୍ଡଳୀରେ ନେତାଙ୍କ ଦଳ ଡିଆଁ ଅଧିକ ହୋଇଛି । ବନ୍ତ ବ୍ଲକ୍ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଜିଲା ବିଜେଡି ଦଳିତ ସେଲ୍ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ଦଳର ରିପୋର୍ଟ କଂଟ୍ରୋଲର କୁହାଯାଉଥିବା ଦେବେନ୍ଦ୍ର ତ୍ରିପାଠୀ ପ୍ରମୁଖ ନେତାମାନେ ଶତାଧିକ କର୍ମୀମାନଙ୍କ ସହ ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି । ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ସୁଜାତା ଜେନା ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଗତ ୨୦୦୯ ନିର୍ବାଚନରେ ସୁଜାତା ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରେ ବିଜେଡିରେ ଯୋଗ ଦେଇଥିବାବେଳେ ଉଦୟ ନନ୍ଦ କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟ ଯୁବ ବିଜେଡି ସଭାପତି ରଥ ଦାସ ଦଳ ଛାଡି ୨୦୦୯ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ହୋଇଥିଲେ । ସେ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଗତ ୨୦୧୪ ନିର୍ବାଚନରେ ପ୍ରଫୁଲ୍ଲ ୭୦,୧୭୩ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଦାସ ୩୬,୦୭୬ ଖଣ୍ଡ ଭୋଟ ପାଇ ପରାଜୟ ଲାଭ କରିଥିଲେ ଓ ଶ୍ରୀ ସାମଲ ୩୪,୦୯୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ବଦ୍ରୀ ନାରାୟଣ ଧଳଙ୍କୁ ୨୮,୮୦୯ ଖଣ୍ଡ ଭୋଟ ମିଳିଥିଲା । ପ୍ରଫୁଲ୍ଲ ୧୦ମ ଓ ୧୧ତମ ନିର୍ବାଚନରେ ଜନତା ଦଳ ଓ ୧୨ତମ ନିର୍ବାଚନରେ ବିଜେଡିରୁ ଭଦ୍ରକ ଆସନରୁ ଏବଂ ୧୪ତମ ଓ ୧୫ତମ ନିର୍ବାଚନରେ ଭଣ୍ଡାରିପୋଖରୀ ଆସନରୁ ବିଜେଡିରୁ ବିଜୟ ଲାଭ କରିଥିଲେ । ନିରଂଜନ ୮ମ, ୯ମ , ୧୧ତମ ଓ ୧୩ତମ ନିର୍ବାଚନରେ କଂଗ୍ରେସରୁ ରାମଚନ୍ଦ୍ରପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।