ମୃଦୁଳା ସିହ୍ନାଙ୍କ ନିଧନରେ ଶୋକ ବ୍ୟକ୍ତ କଲେ ଅମିତ ଶାହା
ମୃଦୁଳା ସିହ୍ନାଙ୍କ ନିଧନରେ ଶୋକ ବ୍ୟକ୍ତ କଲେ ଅମିତ ଶାହା
admin
Nov 18, 2020 - 11:23
Updated: Nov 18, 2020 - 11:23
ନୂଆଦିଲ୍ଲୀ : ସୁପ୍ରତିଷ୍ଠିତ ଲେଖିକା ତଥା ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ନିଧନରେ ଗୃହ ମନ୍ତ୍ରୀ ଅମିତ ଶାହା ଶେକ ପ୍ରକାଶ କରିଛନ୍ତି । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ରାଷ୍ଟ୍ର, ସମାଜ ଏବଂ ସଙ୍ଗଠନ ପାଇଁ କାର୍ଯ୍ୟ କରିଥିଲେ । ସେ ଏପରି ଜଣେ ଲେଖିକା ଥିଲେ, ଯାହାକୁ ତାଙ୍କ ଲେଖନୀ ସର୍ବଦା ଅମର ରଖିବ ବୋଲି ଶାହା ଟ୍ୱିଟ କରିଛନ୍ତି ।
୨୭ ନଭେମ୍ବର ୧୯୪୨ରେ ବିହାରର ମୁଜାଫର ପୁରରେ ଜନ୍ମ ଗ୍ରହଣ କରିଥିଲେ ମୃଦୁଳା । ବିବାହ ପରେ ମଧ୍ୟ ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ ମୃଦୁଳା । ଏହାପରେ ଏକାଧିକ କ୍ଷୁଦ୍ର ଗଳ୍ପ ଲେଖିବା ଆରମ୍ଭ କରିଥିଲେ । ମୁଖ୍ୟତଃ ହିନ୍ଦି ଭାଷାରେ ଲେଖୁଥିବା ମୃଦୁଳା ରାଜମାତା ବିଜୟା ରାଜ ସିନ୍ଧିଆଙ୍କ ଉପରେ ‘ଏକ ରାନୀ ଐସା ଭି’ ନାମକ ପୁସ୍ତକ ଲେଖିଥିଲେ । ପରବର୍ତ୍ତୀ ସମୟରେ ସମାନ ନାମରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା । ମୃଦୁଳାାଙ୍କ ପତି ଆର କେ ସିହ୍ନା ବିହାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ସେ ୨୦୧୪ ପର୍ଯ୍ୟନ୍ତ ବିଜେପିର ଜଣେ ସାଧାରଣ କର୍ମୀ ରହିଥିଲେ । ତେବେ ୨୦୧୪ରେ ତାଙ୍କୁ ବିଜେପି ମହିଳା ମୋର୍ଚ୍ଚାର ଦାୟିତ୍ୱ ପ୍ରଦାନ କରାଯିବା ସହିତ ୨୫ ଅଗଷ୍ଟ ୨୦୧୪ରେ ଗୋଆର ରାଜ୍ୟପାଳ ଭାବରେ ନିଯୁକ୍ତ କରା ଯାଇଥିଲା ।
ପ୍ରାୟ ୨୧ରୁ ଅଧିକ ପୁସ୍ତକ ଏବଂ କ୍ଷୁଦ୍ର ଗଳ୍ପ ଲେଖିଥିବା ମୃଦୁଳାଙ୍କୁ ବାବାସାହେବ ଆମ୍ବେଦକର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେକ୍ଟ ପ୍ରଦାନ କରାଯାଇଥିଲା । ୨୦୧୭ ମସିହାରେ ଭାରତୀୟ ତେରପନ୍ଥ ମହିଳା ମଣ୍ଡଳ ପକ୍ଷରୁ ତାଙ୍କୁ ଆଚାର୍ଯ୍ୟ ତୁଳସୀ କୃତିତ୍ୱ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମୃଦୁଳାଙ୍କ ଏକାଧିକ କାହାଣୀ ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି ।