ମାଇକ୍ରୋୱେଭ ଅସ୍ତ୍ର ସମ୍ପର୍କରେ ସ୍ପଷ୍ଟୋକ୍ତି ରଖିଲା ସେନା : କଣ କହିଲେ ଜାଣନ୍ତୁ
ମାଇକ୍ରୋୱେଭ ଅସ୍ତ୍ର ସମ୍ପର୍କରେ ସ୍ପଷ୍ଟୋକ୍ତି ରଖିଲା ସେନା : କଣ କହିଲେ ଜାଣନ୍ତୁ
admin
Nov 18, 2020 - 11:58
Updated: Nov 18, 2020 - 11:58
ନୂଆଦିଲ୍ଲୀ : ଚୀନ ସେନା ପକ୍ଷରୁ ଲଦାଖରେ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରାଯାଇଥିବା ନେଇ ସ୍ପଷ୍ଟୀକରଣ ରଖିଛି ଭାରତୀୟ ସେନା । ଲଦାଖରେ ଏପରି କୌଣସି ଅସ୍ତ୍ରର ବ୍ୟବହାର ହୋଇନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି । ଏହି ଖବରଟି ସମ୍ପୂର୍ଣ୍ଣ କପୋଳକଳ୍ପିତ ଏବଂ ଏହା ପଛରେ ଆଦୌ ସତ୍ୟତା ନାହିଁ ବୋଲି ସେନା ପକ୍ଷରୁ ଟ୍ୱିଟ କରାଯାଇଛି ।
ୟୁକେରୁ ପ୍ରକାଶିତ ଏକ ଦୈନିକ ଦ ଟାଇମ୍ସରେ ଏ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଥିଲା । ଚୀନ ସୈନ୍ୟଙ୍କ ପକ୍ଷରୁ ଏହି ବୈଷୟିକ କୌଶଳର ବ୍ୟବହାର କରାଯାଇଥିଲା ଯାହାଦ୍ୱାରା ଭାରତୀୟ ସେନା ପଛକୁ ଫେରିଥିଲେ ବୋଲି ଖବର ପ୍ରକାଶିତ ହୋଇଥିଲା । ତେବେ ଏଥିରେ କୌଣସି ସତ୍ୟତା ନାହିଁ, ଜଣେ ପ୍ରଫେସରଙ୍କ ଥିଓରୀ ଉପରେ ଏହି ଖବର ପର୍ଯ୍ୟବେସିତ । ବେଜିଂର ରେନମିନ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ପର୍କ ବିଭାଗରେ ପ୍ରଫେସର ରହିଥିବା ଜିନ କାନରଙ୍ଗଙ୍କ ଥିଓରୀ ଉପରେ ଏହି ଖବର ରହିଥିଲା । ଅଗଷ୍ଟ ମାସରେ ଚୀନ ସେନା ପକ୍ଷରୁ ଏହି କୌଶଳର ପ୍ରୟୋଗ କରାଯାଇଥିବା ନେଇ କାନରଙ୍ଗ ଆଲୋଚନା କରିଥିଲେ ।
କଣ ଏହି ମାଇକ୍ରୋୱେଭ ହତିଆର : ଏହି ହତିଆର ଗୁଡିକ ସାଧାରଣତଃ ଇଲେକ୍ଟ୍ରୋମ୍ୟାଗ୍ନେଟିକ । ଓଭେନ ମଧ୍ୟରେ ରହିଥିବା ପରିବେଶକୁ ଏହା ସାଧାରଣରେ ସୃଷ୍ଟି କରିଥାଏ । ଚର୍ମ ମଧ୍ୟରେ ରହିଥିବା ଜଳକଣାକୁ ଏହା ବାଷ୍ପୀଭୂତ କରି ଦେଇଥାଏ । ଏହା ଦ୍ୱାରା ଅଧିକ ଯନ୍ତ୍ରଣା ହୋଇଥାଏ ଏବଂ ଉକ୍ତ ପରିସୀମା ଛାଡିବାକୁ ବାଧ୍ୟ ହୁଅନ୍ତି ବ୍ୟକ୍ତି । ଏହି ଅସ୍ତ୍ରର ବ୍ୟବହାର ଦ୍ୱାରା ପ୍ରାୟ ୦.୬ ମାଇଲ ଅଞ୍ଚଳ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥାଏ ।