ରଣଜୀ କ୍ରିକେଟର୍ ଗୌତମ ଓ କାଜି ଗିରଫ

ରଣଜୀ କ୍ରିକେଟର୍ ଗୌତମ ଓ କାଜି ଗିରଫ

ରଣଜୀ କ୍ରିକେଟର୍ ଗୌତମ ଓ କାଜି ଗିରଫ
ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରିମିୟର୍ ଲିଗ୍ (କେପିଏଲ୍)ରେ ସ୍ପଟ୍ ଫିକ୍ସିଂରେ ସମ୍ପୃକ୍ତ ରହିଥିବାରୁ ଦୁଇ ରଣଜୀ କ୍ରିକେଟର୍ ସିଏମ୍ ଗୌତମ ଏବଂ ଅବ୍ରାର୍ କାଜିଙ୍କୁ ଗୁରୁବାର ଗିରଫ କରାଯାଇଛି । ବେଲାରି ଟସ୍କର୍ସର ଅଧିନାୟକ ଗୌତମ ଏବଂ ତାଙ୍କ ସାଥୀ ଅବ୍ରାର୍ ହୁବଲି ଟାଇଗର୍ସ ବିପକ୍ଷ ଫାଇନାଲ୍ ମ୍ୟାଚରେ ୨୦ ଲକ୍ଷ ଟଙ୍କା (ପ୍ରାୟ ୨୮,୦୦୦ ଡଲାର) ନେଇ ମନ୍ଥର ବ୍ୟାଟିଂ କରିଥିବା ଅଭିଯୋଗ ହୋଇଥିଲା । ଏହି ଫାଇନାଲକୁ ବେଲାରି ଟସ୍କର୍ସ ମଧ୍ୟ ୮ ରନରେ ହାରିଯାଇଥିଲା । ଉଭୟ ଗୌତମ ଏବଂ କାଜି ମଧ୍ୟ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ବିପକ୍ଷ ଅନ୍ୟ ଏକ ମ୍ୟାଚରେ ଫିକ୍ସିଂ କରିଥିବାର ଅଭିଯୋଗ ରହିଛି । ଉଭୟଙ୍କୁ ଗିରଫ କରାଯାଇଥିବା ଖବର ଯୁଗ୍ମ ପୁଲିସ୍ କମିସନର୍ ସନ୍ଦୀପ ପାଟିଲ୍ ପ୍ରକାଶ କରିଥିଲେ । କର୍ଣ୍ଣାଟକ ପୁଲିସ୍ କ୍ରାଇମ୍ ବ୍ରାଞ୍ଚ୍ ମଧ୍ୟ ଅନ୍ୟ ଜଣେ ଖେଳାଳି ନିଶାନ୍ତ ସେଖାୱତଙ୍କୁ ଗିରଫ କରିଛି । ଗତ ଅକ୍ଟୋବରରେ ବେଙ୍ଗାଲୁରୁ ବ୍ଳାଷ୍ଟର୍ସର ବୋଲିଂ ପ୍ରଶିକ୍ଷକ ଭିନୁ ପ୍ରସାଦ ଏବଂ ବ୍ୟାଟ୍ସମ୍ୟାନ୍ ଏମ ବିଶ୍ୱନାଥନଙ୍କୁ ଗିରଫ କରିଥିଲା । ଏହି ଦୁଇ ଜଣ ୨୦୧୮ ଋତୁରେ ଫିକ୍ସିଂରେ ଲିପ୍ତ ଥିବାର ପ୍ରମାଣ ମିଳିଥିଲା । ସବୁକୁ ମିଶାଇ ପୁଲିସ୍ ୫ ଜଣଙ୍କୁ ଗିରଫ କରିସାରିଛି । ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ସ୍ପଟ୍ ଫିକ୍ସିଂ କଥା ପଦାକୁ ଆସିବାପରେ ବେଲାଗଭି ପାନ୍ଥର୍ସର ମାଲିକ ଅଲୀ ଅସଫାକ ଥରାଙ୍କୁ ଗିରଫ କରାଯିବା ସହିତ ଏହି ଫ୍ରାଞ୍ଚାଇଜକୁ ନିଲମ୍ବିତ କରାଯାଇଥିଲା । କର୍ଣ୍ଣାଟକ କ୍ରିକେଟରେ ଅନ୍ୟତମ ବଡ଼ ନାମ ଭାବେ ପରିଚିତ ଗୌତମ ରାଜ୍ୟ ଦଳର ୨୦୧୩-୧୪ ଏବଂ ୨୦୧୪-୧୫ ଲଗାତାର ତ୍ରିମୁକୁଟରେ ଅନ୍ୟତମ କେନ୍ଦ୍ରୀୟ ଚେହେରା ଥିଲେ । ନିଜ ରାଜ୍ୟ ପାଇଁ ୯ ଋତୁ ଖେଳିବା ପରେ ଚଳିତ ବର୍ଷ ସେ ଗୋଆ ସହ ଚୁକ୍ତିବଦ୍ଧ ହୋଇଥିଲେ । ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଲାଗି ଗୋଆ ଦଳର ଅଧିନାୟକତ୍ୱ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କ ଚୁକ୍ତିକୁ ମଧ୍ୟ ତୁରନ୍ତ ବାଜ୍ୟାପ୍ତ କରିଦିଆଯାଇଛି ବୋଲି ଗୋଆ କ୍ରିକେଟ୍ ସଂଘ ସମ୍ପାଦକ ବିପୁଲ ଫାଡକେ ପ୍ରକାଶ କରିଛନ୍ତି । ଅବଶ୍ୟ ଗିରଫ ଖବରକୁ ଆଗୁଆ ଜାଣିବା ପରେ ମଙ୍ଗଳବାରଠାରୁ ଗୌତମ ତୁରନ୍ତ ଦଳ ଛାଡୁଥିବା କଥା ପ୍ରଶିକ୍ଷକ ଡୋଡା ଗଣେଶଙ୍କୁ ଜଣାଇ ଉଭାନ ହୋଇଯାଇଥିଲେ । ୩୩ ବର୍ଷୀୟ ଗୌତମ ଭାରତ "ଏ' ସହିତ ଆଇପିଏଲରେ ଦିଲ୍ଳୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳରୁ ଖେଳିଥିଲେ । କର୍ଣ୍ଣାଟକ ପାଇଁ ସେ ୯୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ । ନିୟମିତ ଭାବେ ବିନୟ କୁମାରଙ୍କ ଉପଅଧିନାୟକ ଥିବା ଗୌତମ ୨୦୧୩ ମସିହାରେ ୩ଟି ମ୍ୟାଚରେ ନେତୃତ୍ୱ ବି ନେଇଥିଲେ । ତାଙ୍କ ନେତୃତ୍ୱ ବେଳେ ରବିନ ଉଥପ୍ପା, କେଏଲ୍ ରାହୁଲ, ମୟଙ୍କ ଅଗୱାଲ, ମନୀଷ ପାଣ୍ଡେ ପ୍ରମୁଖ ଖେଳିଥିଲେ । ଅନ୍ୟପକ୍ଷରେ ବୋଲିଂ ଅଲରାଉଣ୍ଡରର ଅବ୍ରାର୍ କାଜି ଗୌତମଙ୍କ ଅଧିନରେ କେପିଏଲରେ ଖେଳିଥିଲେ । କର୍ଣ୍ଣାଟକ ଦଳରେ ଯିବା-ଆସିବା ଲାଗି ରହିବାରୁ ଗତ ଋତୁରେ ନାଗାଲାଣ୍ଡ୍ ପାଇଁ ଖେଳିଥିଲେ । ୩ ଥର ମଧ୍ୟ ୧୫୦ରୁ ଊଦ୍ଧ୍ୱ୍ୱର୍ ରନ୍ କରିଥିଲେ । ଚଳିତ ଋତୁରେ ସେ ମିଜୋରାମ୍ ପାଇଁ ଖେଳିବା ଆରମ୍ଭ କରିଥିଲେ । ଆଇପିଏଲରେ ମଧ୍ୟ ଆରସିବି ପାଇଁ ସେ ଗୋଟିଏ ମ୍ୟାଚ୍ ଖେଳିଛନ୍ତି ।