ରବିବାର ଶ୍ରୀମନ୍ଦିରରେ ଓଢ଼ଣୀ ଷଷ୍ଠୀ

ରବିବାର ଶ୍ରୀମନ୍ଦିରରେ ଓଢ଼ଣୀ ଷଷ୍ଠୀ

ରବିବାର ଶ୍ରୀମନ୍ଦିରରେ ଓଢ଼ଣୀ ଷଷ୍ଠୀ
ପୁରୀ: ଶୀତ ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି ଅନୁଷ୍ଠିତ ହେବ । ଡିସେମ୍ବର ୨୦ ରବିବାର ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢ଼ଣୀ ଷଷ୍ଠୀ ପର୍ବ । ସେହି ଦିନ ଶୀତବସ୍ତ୍ର ପରିଧାନ କରିବେ ଶ୍ରୀବିଗ୍ରହ । ଏଣୁ ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜି ସେବକଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରସ୍ତୁତି ହୋଇ ଶ୍ରୀମନ୍ଦିର ପ୍ରଶାସନ ଜିମା ଦିଆଯାଇଛି । ଦର୍ଜି ସର୍ଦ୍ଧାର ପ୍ରକାଶ ମହାପାତ୍ର ଠାକୁରଙ୍କ ଘୋଡ଼ ତିଆରିଛନ୍ତି । ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି ହୋଇଛି । ଘୋଡ଼ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡ଼ିଆ, ଫୁଲଛେଦା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ ଗୋଟି ଘୋଡ଼ ତିଆରି କରାଯାଇଛି । ଏଥିସହିତ ମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ଗୁଣ୍ଡିଚାମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ସୂର୍ଯ୍ୟଦେବ, ମୁକ୍ତିମଣ୍ଡପ ପାଶ୍ୱର୍ରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷୀଣକାଳୀ ଓ କାକୁଡ଼ିଖାଇଠାକୁରାଣୀଙ୍କ ପାଇଁ ମଧ୍ୟ ପୋଷାକ ତିଆରି ହୋଇଥିବା ସର୍ଦ୍ଧାର ମହାପାତ୍ର କହିଛନ୍ତି । ଶୀତ ୪ ମାସ ପାଇଁ ଏହି ଘୋଡ଼ ଲାଗି ନୀତି ସମ୍ପାଦିତ ହୋଇଥାଏ ।