ରାଜାଙ୍କୁ ମିଳିଲା ବୁଲା କୁକୁର ଉପହାର

ରାଜାଙ୍କୁ ମିଳିଲା ବୁଲା କୁକୁର ଉପହାର

ରାଜାଙ୍କୁ ମିଳିଲା ବୁଲା କୁକୁର ଉପହାର
ଦେଶର ମୁଖ୍ୟ ଶାସନ କର୍ତ୍ତାଙ୍କ ଜନ୍ମ ଦିନରେ ଦେଶବାସୀ ବିଭିନ୍ନ ନାମୀ ଉପହାର ଭେଟି ଦେଉଥିବା ବେଳେ ଭୂଟାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭୂଟାନବାସୀ ଗତକାଲି ସେମାନଙ୍କ ରାଜା ଜିଗମେ ଖେସାର ନାମଗିଲ ୱାଙ୍ଗଚକଙ୍କ ଜନ୍ମଦିନ ପାଳନ କରିଛନ୍ତି । ଭୁଟାନ ପ୍ରଧାନମନ୍ତ୍ରୀ ଡ.ଲୋଟେ ଶେରିଙ୍ଗ ଏ ଅବସରରେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ଗୋଟିଏ ଲେଖାଏଁ ବୁଲା କୁକୁର ପାଳିବା ସହିତ ଗୋଟିଏ ବୃକ୍ଷ ରୋପଣ କରି ରାଜାଙ୍କ ୪୦ ତମ ଜନ୍ମ ଦିନ ପାଳନ କରନ୍ତୁ । ଏହା ହିଁ ରାଜାଙ୍କ ପାଇଁ ଉପଯୁକ୍ତ ଉପହାର ହେବ ବୋଲି ସେ କହିଛନ୍ତି । ତାଙ୍କ ମତରେ ବର୍ତ୍ତମାନ ବୁଲା କୁକୁରଙ୍କ ସଂଖ୍ୟାକୁ ନେଇ ଦେଶ ଯେଉଁ ସମସ୍ୟା ସାମ୍ନା କରୁଛି ଏହା ଦ୍ୱାରା କେତେକାଂଶରେ ତାର ସମାଧାନ ହୋଇପାରିବ । ନାମଗେ ଜାମ ନାମକ ଭୂଟାନର ଜଣେ ସାମ୍ବାଦିକ ଏହି ଖବର ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଲେଖିଛନ୍ତି ଯେ ସେ ନିଜେ ଓ ତାଙ୍କ ଭାବୀ ପତ୍ନୀ ୩ ବୁଲା କୁକୁର ପୋଷ୍ୟ କରିଛନ୍ତି । ଜାମଙ୍କ ଏହି ଟ୍ୱିଟ ମାଇକ୍ରୋବ୍ଲଗିଂ ସାଇଟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭୁଟାନର ଏହି ପ୍ରୟାସକୁ ସୋସିଆଲ ମିଡିଆ ୟୁଜର ପ୍ରଶଂସା କରିଛନ୍ତି । ଅନ୍ୟ ରାଷ୍ଟ୍ର ଏହି ଉପାୟ ଆପଣାନ୍ତୁ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଆଉ କିଛି ଲେଖିଛନ୍ତ, ଭୂଟାନଠାରୁ ଆହୁରି ଅନେକ କଥା ଶିଖିବର ଅଛି । ଭୂଟାନ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ଦେଶବାସୀ ଗ୍ରହଣ କରିଛନ୍ତି । ବିଶ୍ୱର ଅନେକ ଦେଶର ନାଗରିକ ମଧ୍ୟ ଭୂଟାନର ଏହି ପ୍ରୟାସକୁ ଖୁବ ପସନ୍ଦ କରିଛନ୍ତି ।