ରୂପ ବଦଳାଇ ମାରାତ୍ମକ ହେଉଛି କରୋନା

ରୂପ ବଦଳାଇ ମାରାତ୍ମକ ହେଉଛି କରୋନା

ରୂପ ବଦଳାଇ ମାରାତ୍ମକ ହେଉଛି କରୋନା
ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭୂତାଣୁ (କୋଭିଡ-୧୯) ଏବେ ବିଶ୍ୱରେ ଆତଙ୍କ ଜାରି ରଖିଛି । ୨୦୧୯ ଡିସେମ୍ବରରେ ଚୀନର ହୁବେଇ ପ୍ରଦେଶର ଓହାନରୁ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ତା ପରଠାରୁ ଏହି ଭୂତାଣୁ ପୁରା ଦୁନିଆକୁ ନିଜ କବଜାକୁ ନେଇଯାଇଛି । ଖାଲି ସେତିକି ନୁହେଁ, ଏହି ପ୍ରାଣଘାତୀ ଭୂତାଣୁ ନିଜକୁ ଲଗାତର ଭାବେ ପରିବର୍ତ୍ତନ କରି ୧୦ଟି ପୃଥକ ପ୍ରକାରରେ ବଦଳାଇ ଦେଇଛି । ତନ୍ମଧ୍ୟରୁ ଏକ ପ୍ରକାର ବା ଟାଇପ ସର୍ବାଧିକ ଘାତକ ସାବ୍ୟସ୍ତ ହୋଇଛି । ତାହାକୁ ‘ଏ୨ଏ’ ଟାଇପ ଭୂତାଣୁ ବୋଲି କୁହାଯାଉଛି । ଏହା ଅଧିକ ମାରାତ୍ମକ ହୋଇଥିବା ବେଳେ ଭାରତରେ ମଧ୍ୟ ଏହି ଟାଇପ ଦେଖିବାକୁ ମିଳିଥିବା ଗବେଷକମାନେ ଦାବି କରୁଛନ୍ତି । ଏହି ପ୍ରକାରର ଭୂତାଣୁ ଅଧିକ ସଂକ୍ରମଣ ପ୍ରସାରଣ କରୁଥିବା ଜଣାପଡ଼ିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋମେଡିକାଲ ଜିନୋମିକ୍ସ (ଏନଆଇବିଜି) ଦ୍ୱାରା ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଏ୨ଏ କରୋନା ଭୂତାଣୁ ପୂରା ବିଶ୍ୱରେ ବ୍ୟାପିଯାଇଛି । ଅନ୍ୟ ଟାଇପ ଭୂତାଣୁ ସ୍ଥାନରେ ଏବେ ଏହାର ରାଜ ଚାଲିଛି । ନିଧାନ ବିଶ୍ୱାସ ଏବଂ ପ୍ରଥା ମଜୁମଦାରଙ୍କର ଏହି ଗବେଷଣା ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ ଶୀଘ୍ର ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଗବେଷଣାରୁ ଜଣାପଡ଼ିଛି ଯେ ଏ୨ଏ ଭାଇରସ ଫୁସଫୁସରେ ବୃହତ ସଂଖ୍ୟାରେ ପ୍ରବେଶ କରିବାର କ୍ଷମତା ରଖିଛି । ୮୦୦ ଲୋକଙ୍କ ଜୀବନ ନେଇଥିବା ଏବଂ ୮୦୦୦ ଲୋକଙ୍କୁ ସଂକ୍ରମିତ କରିଥିବା ପୂର୍ବର ସାର୍ସ କୋଭିଡ ଭୂତାଣୁ ଠାରୁ କୋଭିଡ-୧୯ ଅତ୍ୟନ୍ତ ମାରାତ୍ମକ ଏବଂ ଲୋକଙ୍କ ଫୁସଫୁସରେ ପ୍ରବେଶ କରିବାରେ ଏହାର ଅଧିକ କ୍ଷମତା ରହିଛି । ଅତ୍ୟନ୍ତ କ୍ଷୀପ୍ରଗତିରେ ଏହା ବ୍ୟାପିଯାଉଛି । ପୂରା ବିଶ୍ୱକୁ ଏହା ବ୍ୟାପି ଯାଇଥିବା କୁହାଯାଉଛି । କୁହାଯାଉଛି ଯେ ବିଶ୍ୱାସ ଏବଂ ମଜୁମଦାରଙ୍କ ଏହି ଗବେଷଣା ଟିକା ବିକାଶ କରୁଥିବା ବୈଜ୍ଞାନିକଙ୍କ କାମରେ ଆସିପାରିବ । ଗବେଷଣା ମୁତାବକ ଗତ ୪ ମାସ ମଧ୍ୟରେ କୋଭିଡ-୧୯ ଭୂତାଣୁର ୧୦ ପ୍ରକାର ପୁରୁଣା ‘ଓ’ ଟାଇପର ଥିଲେ । ମାର୍ଚ୍ଚ ଶେଷ ସପ୍ତାହରୁ ଏ୨ଏ ପୁରୁଣା ଭୂତାଣୁର ସ୍ଥାନ ନେବା ଆରମ୍ଭ କରିଛି ଏବଂ ପୁରା ବିଶ୍ୱକୁ ଏହା ବ୍ୟାପିବାରେ ଲାଗିଛି । ଏନଆଇବିଜିର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ପ୍ରଫେସର ମଜୁମଦାର କହିଛନ୍ତି, କରୋନା ଭୂତାଣୁର ଅନେକ ପ୍ରକାରରେ ବିଭକ୍ତ କରାଯାଇ ପାରିବ । ଏହାକୁ ଓ, ଏ୨, ଏ୨ଏ, ଏ୩, ବି, ବି୧ ଏବଂ ଅନ୍ୟ ପ୍ରକାରରେ ଭାଗ କରାଯାଇପାରିବ । ଏଥିରେ ‘ଓ’ ଟାଇପ ମଧ୍ୟ ରହିଛି । ଯାହା ହେଉଛି ପୁରୁଣା ପ୍ରକାର ଏବଂ ଓହାନରେ ଏହା ସୃଷ୍ଟି ହୋଇଥିଲା । ଏହି ପ୍ରକାର ଭୂତାଣୁ ଅଧିକ ବେଗରେ ବ୍ୟାପିବା କ୍ଷମତା ରଖିଛି ।